ନୂଆ ପାଠ୍ୟ ପୁସ୍ତକରେ ୧୬୭୮ ବନାନଗତ ଭୁଲ

ଅଷ୍ଟମ ଶ୍ରେଣୀ ବହିରେ ସର୍ବାଧିକ ୭୦୫ଟି ଭୁଲ୍ ଚିହ୍ନଟ

ନୂଆ ପାଠ୍ୟ ପୁସ୍ତକରେ ୧୬୭୮ ବନାନଗତ ଭୁଲ
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟର ସରକାରୀ ବିଦ୍ୟାଳୟ ପାଠ୍ୟ ପୁସ୍ତକରେ ଗରୁତର ତ୍ରୁଟି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ରହିଛି ମାଳ ମାଳ ବନାନ ଭୁଲ । ପାଠ୍ୟପୁସ୍ତକ ଗୁଡିକରେ ରହିଛି ସମୁଦାୟ ୧୬୭୮ଟି ସାଙ୍ଘାତିକ ଭୁଲ । ଏଥିମଧ୍ୟରୁ କେବଳ ଅଷ୍ଟମ ଶ୍ରେଣୀ ବହିରେ ସର୍ବାଧିକ ୭୦୫ଟି ଭୁଲ୍ ଚିହ୍ନଟ ହୋଇଛି, ଯାହାକୁ ନେଇ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଖାଲି ଏତିକି ନୁହେଁ ଏକାଧିକ ପାଠ୍ୟପୁସ୍ତକ ଗୁଡ଼ିକରେ ବ୍ୟାପକ ବନାନ ଓ ତଥ୍ୟଗତ ତ୍ରୁଟି ଦେଖିବାକୁ ମିଳିଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞାନ, ସାମାଜିକ ବିଜ୍ଞାନ, କୌଶଳ ବୋଧ, ଖେଳ ଶିକ୍ଷା ଓ କୃତି ଭଳି ପ୍ରମୁଖ ବହିଗୁଡ଼ିକରେ ଏହି ସବୁ ଭୁଲ୍ ଚିହ୍ନଟ କରାଯାଇଛି । ସାମାଜିକ ବିଜ୍ଞାନ ପୁସ୍ତକରେ ଓଡ଼ିଶା ବିଧାନସଭା ଚିତ୍ର ବଦଳରେ କର୍ଣ୍ଣାଟକ ବିଧାନସଭାର ଚିତ୍ର ରହିଛି ।

ସେହିଭଳି ବିଜ୍ଞାନ ବହିରେ ‘ତାପନ’ ସ୍ଥାନରେ ‘ତାପୀଣ’, ଖେଳ ଶିକ୍ଷା ବହିରେ ‘ଜଟିଳ’ ଜାଗାରେ ‘କୁଟଳି’ ଏବଂ କୃତି ପୁସ୍ତକରେ ପ୍ରସିଦ୍ଧ ଗାୟିକା ‘ସୁନନ୍ଦା ପଟ୍ଟନାୟକ’ଙ୍କ ନାମ ‘ସନନ୍ଦା’ ବୋଲି ଭୁଲ ଭାବେ ଛପାଯାଇଛି । ପାଠ୍ୟପୁସ୍ତକଗୁଡ଼ିକରେ ଥିବା ଏଭଳି ୧୬୭୮ ତ୍ରୁଟିକୁ ସଂଶୋଧନ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ସଂଶୋଧନ ତାଲିକା ଜାରି କରାଯାଇଛି । ଦିନକ ପରେ ସରକାରୀ ସ୍କୁଲ ଖୋଲିବ । ଆଉ ଏହାର ଠିକ୍ ପୂର୍ବରୁ ପାଠ୍ୟ ପୁସ୍ତକ ସବୁ ବଣ୍ଟନ କରାଯାଇସାରିଛି । 

ବହିରେ ଏତେ ପରିମାଣର ଭୁଲ୍ ଥିବାରୁ ପାଠପଢ଼ାରେ ବାଧା ସୃଷ୍ଟି ହେଉଥିବା ନେଇ ବିଦ୍ୟାର୍ଥୀଙ୍କ ସହିତ ଅବିଭାବକ ମାନେ ମଧ୍ୟ ଅସନ୍ତୋଷ ପ୍ରକଶ କରିଛନ୍ତି । ସେମାନଙ୍କ କହିବା କଥା, ବର୍ଷ ଆରମ୍ଭରୁ ବହି ମିଳିବାରେ ବହୁ ବିଳମ୍ବ ହୋଇଥିଲା। ଏବେ ପୁଣି ବହି ସଂଶୋଧନ ପାଇଁ ଗଲେ ପାଠପଢ଼ାରେ ଅଧିକ ସମୟ ନଷ୍ଟ ହେବ ।

ସେପଟେ, ପାଠ୍ୟପୁସ୍ତକରେ ମାଳ ମାଳ ଭୁଲକୁ ମୁଦ୍ରଣ ଜନିତ ତ୍ରୁଟି ରହିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । ଖୁବଶୀଘ୍ର ଏହି ତ୍ରୁଟିର ସଂଶୋଧନ କରାଯିବ ବୋଲି ସେ କହିଛନ୍ତି ।

Tags: