ଗ୍ୟାରେଜ ଭିତରୁ ୧୬୦ଟି ସିଲିଣ୍ଡର ଜବତ
ରାଉରକେଲା : ରାଉରକେଲାର ଏକ ଗ୍ୟାରେଜ ଭିତରୁ ୧୬୦ ଗ୍ୟାସ ସିଲିଣ୍ଡର୍ ଜବତ କଲା ଯୋଗାଣ ବିଭାଗ । ରାଉରକେଲା ସେକ୍ଟର ୯ ଅଞ୍ଚଳରେ ଜଣେ ବ୍ୟକ୍ତି ତାଙ୍କ ଘରେ ଏସବୁ ସିଲିଣ୍ଡର୍ ଗଚ୍ଛିତ ରଖିଥିଲେ । ଉଭୟ କମର୍ସିଆଲ୍ ଓ ଘରୋଇ ସିଲିଣ୍ଡର ଜବତ ହୋଇଛି । ରାଉରକେଲା ମହାନଗର ନିଗମ, ପୋଲିସ, ରାଉରକେଲା ତହସିଲଦାର ଚଢ଼ାଉ କରି ସିଲିଣ୍ଡର ଜବତ କରିଛନ୍ତି । ଏତେ ପରିମାଣର ସିଲିଣ୍ଡର୍ କାହିଁକି ଓ କେମିତି ରଖିଥିଲେ, ଏହାକୁ ତଦନ୍ତ କରାଯାଉଛି । କେଉଁ ପରିସ୍ଥିତିରେ ଏତେ ପରିମାଣର ସିଲିଣ୍ଡର ଗଚ୍ଛିତ ରଖିଥିଲେ ତାହାର ତଦନ୍ତ ହେବ ବୋଲି କହିଛନ୍ତି ଯୋଗାଣ ବିଭାଗ ଅଧିକାରୀ ।
ଅନ୍ୟପଟେ କିଛି ଦିନ ତଳେ ରାଜ୍ୟରେ ଗ୍ୟାସ ସିଲିଣ୍ଡରର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲା ଯୋଗାଣ ବିଭାଗ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ପରେ ସାରା ରାଜ୍ୟରେ ଯୋଗାଣ ବିଭାଗ ଆକ୍ସନ ମୋଡକୁ ଆସିଛି । ଏପ୍ରିଲ ୨ରେ ଅନୁଗୋଳ ଓ ଗଞ୍ଜାମ ଜିଲ୍ଲାରୁ ମୋଟ ୮୯ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଥିଲା । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅନୁଗୁଳ ଗସ୍ତ ସମୟରେ ବିଭାଗୀୟ ଅଧିକାରୀମାନେ ବିଭିନ୍ନ ସ୍ଥାନରେ ଘନ ଘନ ଚଢ଼ାଉ କରିଥିଲେ ।



