ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ,ଜନ ଜୀବନ ପ୍ରଭାବିତ
ଗାଡ଼ିରୁ ଓହ୍ଲାଇ ରାସ୍ତାରେ ଚାଲି ଚାଲି ଗଲେ ବର
ଭୁବନେଶ୍ୱର : ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି ଟ୍ରେଡ ୟୁନିୟନ । କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି ୧୦ରୁ ଅଧିକ ଶ୍ରମିକ ସଂଗଠନ ସାରା ଭାରତ ବର୍ଷରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରୁଛନ୍ତି । ଏହାକୁ କଂଗ୍ରେସ, ବାମଦଳ ସହ ଅନ୍ୟ କେତେକ ରାଜନୈତିକ ଦଳର ସମର୍ଥନ ମିଳିଛି । ଭାରତ ବନ୍ଦ ଯୋଗୁଁ ଦୋକାନ ବଜାର, ଗାଡି ଚଳାଚଳ ବନ୍ଦ ରହିଥିବାରୁ ବିଭିନ୍ନ ସ୍ଥାନରେ ଜନଜୀବନ ପ୍ରଭାବିତ ହୋଇଛି ।
ରାଜଧାନୀ ଭୁବନେଶ୍ବର, କଟକ, ବାଲେଶ୍ବର, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର ସମେତ ସାରା ରାଜ୍ୟରେ ଭିନ୍ନ ଭିନ୍ନ ଢଙ୍ଗରେ ବନ୍ଦ ପାଳନ କରାଯାଇଛି। ଭୁବନେଶ୍ବରରେ ବିଭିନ୍ନ ଛକରେ ଆନ୍ଦୋଳନ କରିବା ସହି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।
ଭାରତ ବନ୍ଦ ଯୋଗୁଁ ଭୁବନେଶ୍ୱର ଜୟଦେବ ବିହାର ଛକରେ ଏକ ଅଭବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଆନ୍ଦୋଳନକାରୀମାନେ ଏକ ବର ଗାଡିକୁ ଅଟକାଇବାରୁ ଗାଡ଼ିରୁ ଓହ୍ଲାଇ ବର ଚାଲି ଚାଲି ଯାଉଥିବାର ଦେଖାଯାଇଥିଲା । ଯାହାକୁ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । କିଛି ସମୟ ପରେ ବର ଓ ବରଯାତ୍ରୀକୁ ଆନ୍ଦୋଳନକାରୀମାନେ ରାସ୍ତା ଛାଡ଼ିଥିଲେ । ବାଲେଶ୍ବର ସୋରରୁ ଖୋର୍ଦ୍ଧାକୁ ବିବାହ କରିବାକୁ ଆସିଥିଲେ ଅବଦ୍ଦୁଲ ଫାଇମ୍ ଖାନ୍।
ସେହିପରି ରାଉରକେଲା ଏବଂ ରାୟଗଡା ରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ରାଉରକେଲା ସହରରେ ଘରୋଇ ବସ ଚଳାଚଳ ବନ୍ଦ। ଦୋକାନ ବଜାର ବି ବନ୍ଦ ରହିଛି ।
ରାୟଗଡ଼ା ଜିଲ୍ଲା ଗୁଣପୁରରେ ଏଆଇସିସିଟିୟୁ, ଆଇରେଲା, ସଂଯୁକ୍ତ କିଷାନ ମୋର୍ଚାର ମିଳିତ ସହଯୋଗରେ ବନ୍ଦ ପାଳନ କରାଯାଇଛି | ଗୁଣପୁରର ବିଭିନ୍ନ ସ୍ଥାନରେ ବସ ଚଳାଚଳ ବନ୍ଦ ରହିଥିବା ବେଳେ ଦୋକାନ ଗୁଡିକ ମଧ୍ୟ ବନ୍ଦ ରହିଛି । ସ୍ଥାନୀୟ ବାଇପାସ୍ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରି ନାରାବାଜି କରାଯାଉଛି ।
ବାଲେଶ୍ଵରରେ ଦେଖିବାକୁ ମିଳିଛି ଭାରତ ବନ୍ଦର ପ୍ରଭାବ । ଟ୍ରେଡ ୟୁନିଅନ ନେତା ମାନେ ବାଲେଶ୍ଵର ବସଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ପିକେଟିଂ ଓ ଭାରତ ସରକାରଙ୍କ ବିରୋଧରେ ନାରା ଦେଇ ପ୍ରତିବାଦ କରୁଛନ୍ତି ।



