୧୮ତାରିଖରେ ୧୨ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା

୧୮ତାରିଖରେ ୧୨ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
Samaya Live News Picture
Published On

ମୟୁରଭଞ୍ଜ : ରାସଗୋବିନ୍ଦପୁର ବ୍ଲକ କାକବନ୍ଧ ଆଶ୍ରମ ସ୍କୁଲ ଛାତ୍ରୀ ମୃତ୍ୟୁ ମାମଲା । ଆସନ୍ତା ୧୮ ତାରିଖରେ ୧୨ଘଣ୍ଟିଆ ମୟୁରଭଞ୍ଜ ଡାକରା ଦିଆଯାଇଛି । ଘଟଣାର ନ୍ୟାୟିକ ତଦନ୍ତ ଦାବି କରି  ଆସନ୍ତା ୧୮ରେ ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ହରତାଳ କରାଯିବ ବୋଲି ମୟୂରଭଞ୍ଜ ଜିଲା ବିଜେଡି ସଭାପତି ସୁଦାମ ମାର୍ଣ୍ଡି କହିଛନ୍ତି । ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ବିଜେଡିର ଏକ ପ୍ରତିନିଧି ଦଳ ରାସଗୋବିନ୍ଦପୁର ବ୍ଲକ୍‌ ନଳାଗଞ୍ଜା ପଞ୍ଚାୟତ ଅଧୀନ ନୁଞ୍ଚାଟି ଗ୍ରାମକୁ ଯାଇ ଶୋକାକୁଳ ପରିବାରକୁ ଭେଟି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। 

ବିଜେଡିର ଏକ ପ୍ରତିନିଧି ଦଳ ରାସଗୋବିନ୍ଦପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଦୋଷୀ ଅଧିକାରୀ, ଛାତ୍ରାବାସ କର୍ମଚାରୀ, ଶିକ୍ଷକ ଓ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ତତ୍କାଳ ନିଲମ୍ବନ ଓ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ଦାବି କରିଛି ଦଳ । ଏହାସହ ପୀଡିତ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରାଯାଇଛି। 
 
ସୂଚନାନୁସାରେ, ଗତ ୧୨ରେତାରିଖ ସକାଳେ ମୟୁରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ରାସଗୋବିନ୍ଦପୁର ବ୍ଲକ କାକବନ୍ଧ ସରକାରୀ ଆଶ୍ରମ ସ୍କୁଲର ହଷ୍ଟେଲ ଅନ୍ତେବାସୀ ମାନଙ୍କୁ ସକାଳ ଜଳଖିଆରେ ପଖାଳ, ଶାଗ ଭଜା ଓ ଆଳୁ ଭର୍ତ୍ତା ଦିଆଯାଇଥିଲା । ତେବେ ଖାଦ୍ୟ ଖାଇବା ପରେ ପାଖାପାଖି ୧୫୦ରୁ ଉର୍ଦ୍ଧ୍ବ ପିଲା ପ୍ରବଳ ଜ୍ୱର ସହ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଅସୁସ୍ଥ ହେବାପରେ ପିଲାମାନଙ୍କୁ ସଙ୍ଗେ ସଙ୍ଗେ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ମାତ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ କିଛି ପିଲାଙ୍କୁ ବାରିପଦା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ରବିବାର ଦିନ ୫ମ ଶ୍ରେଣୀ ଛାତ୍ରୀ ରୁପାଲୀ ବେସ୍ରାଙ୍କର ମୃତ୍ୟୁ ଘଟିଥିଲା । ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ଦେଖାଦେଇଥିଲା । ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରି ମୃତ ଛାତ୍ରୀଙ୍କ ଶବ ରଖି ଦୀର୍ଘ ସମୟ ଧରି ପ୍ରତିବାଦ କରିଥିଲେ ପରିବାର ବର୍ଗଙ୍କ ସହ ସ୍ଥାନୀୟ ଲୋକେ । କିଛି ସମୟ ଧରି ସ୍କୁଲ ପରିସର ରଣକ୍ଷେତ୍ର ପାଲଟିଥିଲା। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଆଶ୍ରମ ସ୍କୁଲ ପ୍ରଧାନଶିକ୍ଷକଙ୍କୁ ତୁରନ୍ତ ନିଲମ୍ବନ କରାଯାଇଥିଲା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଛାତ୍ରୀଙ୍କ ପରିବାର ବର୍ଗଙ୍କୁ ୩ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିଥିଲେ ଏବଂ ଘଟଣାର ରଡିସି ତଦନ୍ତ ନିର୍ଦେଶ ଦେଇଛନ୍ତି । 

Tags: