ଗଭୀର ଖାଇକୁ ବସ୍ ଖସି ୧୨ରୁ ଉର୍ଦ୍ଧ୍ବ ମୃତ, ଅନେକ ଆହତ
ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର ଉଧମପୁର ଜିଲ୍ଲାର ଭୟଙ୍କର ସଡ଼କ ଦୁର୍ଘଟଣା । ଗଭୀର ଖାଇକୁ ଯାତ୍ରୀବାହୀ ବସ୍ ଖସି ୧୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଉଧମପୁର ରାମନଗରର କାଗୋଟ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ସୂଚନା ମିଳିଛି । ଦୁର୍ଘଟଣାର ସଠିକ କାରଣ ବର୍ତ୍ତମାନସୁଦ୍ଧା ଅସ୍ପଷ୍ଟ ରହିଛି।
ସ୍ଥାନୀୟ ଅଧିକାରୀଙ୍କ କହିବାନୁସାରେ, ଆଜି ସକାଳ ୧୦ଟା ସମୟରେ ବସ୍ ଟି ଜମ୍ମୁରୁ ଶ୍ରୀନଗର ଅଭିମୁଖେ ଯିବାବେଳେ ଉଧମପୁର ରାମବନ-ବାନିହାଲ ରାସ୍ତାରେଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।
ଏହି ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଙ୍କ ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ପିଡୀତଙ୍କ ପରିବାର ପାଇଁ ଗଭୀର ସମବେଦନା ଜଣାଇବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।



