ଚାନ୍ଦିପୁରରେ ମିସାଇଲ ପରୀକ୍ଷଣ ପାଇଁ ୧୧ହଜାର ୪୪୧ ଜଣଙ୍କୁ ସ୍ଥାନାନ୍ତରଣ
ବାଲେଶ୍ୱର : ଚାନ୍ଦିପୁରରେ ୨ ଦିନ ଧରି ମିସାଇଲ ପରୀକ୍ଷଣ ପାଇଁ ଚାଲିଛି ସ୍ଥାନାନ୍ତରଣ । ଚାନ୍ଦିପୁର ପ୍ରତିରକ୍ଷା ବିଭାଗର ମିସାଇଲ ପରୀକ୍ଷଣ ପାଇଁ ପାଖାପାଖି ୧୧ହଜାର ୪୪୨ଜଣ ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି ଜିଲ୍ଲା ପ୍ରଶାସନ । ପରୀକ୍ଷଣ ସମୟରେ ଲଞ୍ଚ ପ୍ୟାଡ୍-୩ ରୁ ୩.୫ କିଲୋମିଟର ପରିଧି ମଧ୍ୟରେ ରହୁଥିବା ସ୍ଥାନୀୟ ବାସିନ୍ଦା ଓ ସେମାନଙ୍କ ଗୃହପାଳିତ ପଶୁମାନଙ୍କୁ ଅସ୍ଥାୟୀ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ସ୍ଥାନୀୟ ଲୋକଙ୍କ ରହିବା ପାଇଁ ପ୍ରଶାସନ ପକ୍ଷରୁ ୪ଟି ଅସ୍ଥାୟୀ ଶିବିର ଆୟୋଜନ କରାଯାଇଥିଲା। ବର୍ଦ୍ଧନପୁର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଓ ବର୍ଦ୍ଧନପୁର ହାଇସ୍କୁଲ, ଭୀମପୁର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ, ତୁଣ୍ଡରା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଓ ନିଧିପଡ଼ା ସେବାଶ୍ରମ ଆଦିରେ ଲୋକମାନଙ୍କୁ ରଖାଯାଇଥିଲା।
ସ୍ଥାନାନ୍ତରିତ ହୋଇଥିବା ଲୋକମାନଙ୍କୁ ଖାଦ୍ୟପେୟର ସୁବିଧା କରାଯିବା ସହ, ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା ପାଇଁ ସ୍ବାସ୍ଥ୍ୟକର୍ମୀ ନିୟୋଜିତ ହୋଇଥିଲେ । ଅନ୍ୟପଟେ ଲୋକମାନଙ୍କୁ ପ୍ରଶାସନିକ ସ୍ତରରେ ସହାୟତା ରାଶି ସିଧା ସଳଖ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯିବ। ବୁଧବାର ଦୁଇ ରାଉଣ୍ଡ ମିସାଇଲ ପରୀକ୍ଷଣ କରାଯାଇଥିବା ବେଳେ ଗୁରୁବାର (ଆଜି) ମଧ୍ୟ ମିସାଇଲ ପରୀକ୍ଷଣ କରାଯିବା ନେଇ ସୂଚନା ରହିଛି ।



