ଓଡ଼ିଶାରେ ଗଡିବ ନାହିଁ ୧୦ ବର୍ଷର ପୁରୁଣା ଗାଡି
କଟକ : ୧୦ବର୍ଷର ପୁରୁଣା ଗାଡି ରାଜ୍ୟକୁ ପ୍ରବେଶ ନିଷେଧ। ସଡକ ସୁରକ୍ଷା, ଯାତ୍ରୀ ସୁବିଧା ଓ ସୁବିଧାଜନକ ଯାତାୟାତକୁ ଆଉ ଶକ୍ତିଶାଳୀ କରିବା ପାଇଁ ଏକ ବଡ଼ ସିଦ୍ଧାନ୍ତ ନେଇଛି ରାଜ୍ୟ ପରିବହନ କର୍ତ୍ତୃପକ୍ଷ (STA)। ଏନେଇ ନିର୍ଦେଶ ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।ରାଜ୍ୟର ପରିବହନ ବ୍ୟବସ୍ଥାକୁ ଉନ୍ନତ ଏବଂ ଯାତ୍ରୀମାନଙ୍କ ନିରାପତ୍ତାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ୧୯ ଜୁଲାଇ ୨୦୨୩ରେ ରାଜ୍ୟ ପରିବହନ ପ୍ରାଧିକରଣର ୩୦୧ତମ ବୈଠକରେ ନିଆଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି ।
STA ଜାରି କରିଥିବା ନିର୍ଦ୍ଦେଶନାମା ଅନୁଯାୟୀ, “ଅନ୍ୟ ରାଜ୍ୟର ୧୦ ବର୍ଷ ଉର୍ଦ୍ଧ୍ୱ ଷ୍ଟେଜ୍/ କନ୍ଟ୍ରାକ୍ଟ କ୍ୟାରିଏଜ୍ ବାହାନଙ୍କ ପାଇଁ ଆରଟିଓମାନେ କୌଣସି ଠିକଣା ପରିବର୍ତ୍ତନ, ମାଲିକାନା ବଦଳ କିମ୍ବା ଟ୍ୟାକ୍ସ ଗ୍ରହଣ କରିବେ ନାହିଁ।”। ସମସ୍ତ RTO ଓ ARTO ମାନଙ୍କୁ ଏହି ସଂସ୍କାରମୂଳକ ନିଷ୍ପତ୍ତିକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହି ପଦକ୍ଷେପ ଦ୍ୱାରା ରାଜ୍ୟରେ ସଡ଼କ ସୁରକ୍ଷା ମାନଦଣ୍ଡରେ ଉନ୍ନତି ଆସିବ, ସଡ଼କରେ ଅନୁପଯୁକ୍ତ ଗାଡ଼ି ହ୍ରାସ ପାଇବ ଏବଂ ପୁରୁଣା ଗାଡ଼ି ଜନିତ ପ୍ରଦୂଷଣ ମଧ୍ୟ ହ୍ରାସ ହେବ ବୋଲି ବିଭାଗ ଲକ୍ଷ୍ୟ ରଖିଛି ।



