ପୃଥକ ଦୁର୍ଘଟଣାରେ ୧୦ ମୃତ ,୧୮ ଆହତ
କେନ୍ଦୁଝର/ଭଦ୍ରକ/କୋରାପୁଟ/ଢେଙ୍କାନାଳ : ଦୁର୍ଘଟଣାର ଦିନ । ଗୁରୁବାର ଦିନ ରାଜ୍ୟର ଅନେକ ସ୍ଥାନରେ ଗୋଟିଏ ପରେ ଗୋଟିଏ ମର୍ମନ୍ତୁଦ ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଗତ ବିଳମ୍ବିତ ରାତିରେ ଏକ ଥାର୍ ଗାଡ଼ି ଗଛ ଦେହରେ ପିଟି ହେବାରୁ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିକଟସ୍ଥ ରଜିଆ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।
ସୂଚନାନୁସାରେ, ଗତକାଲି ରାତି ପ୍ରାୟ ୧୦ଟା ବେଳେ ସିଜୁକଳା ଗ୍ରାମର ତ୍ରିଲୋଚନ ଆପଟଙ୍କ ପେଟ ଯନ୍ତ୍ରଣା ହୋଇଥିଲା । ପୁଅ ରଞ୍ଜିତ ଏକ ଥାର୍ ଗାଡ଼ିରେ ବାପାଙ୍କୁ ନେଇ ଚମ୍ପୁଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଉଥିଲେ । ସାଙ୍ଗରେ ତ୍ରିଲୋଚନଙ୍କ ସ୍ତ୍ରୀ କଇଫୁଲ ଆପଟ ଓ ଦାଦା ଭାସ୍କର ଆପଟ ମଧ୍ୟ ଥିଲେ । ୨୦ ନମ୍ବର ଜାତୀୟ ରଜିଆ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଏକ ଆମ୍ବ ଗଛକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଘଟଣାସ୍ଥଳରେ ଭାସ୍କର ଆପଟଙ୍କର ମୃତ୍ୟୁ ହୋଇଥିବେଳେ ସ୍ଥାନୀୟ ଲୋକେ ଚମ୍ପୁଆ ଅଗ୍ନିଶମ ବିଭାଗ ସହାୟତାରେ ଅନ୍ୟ ତିନି ଜଣକୁ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନା ଆଣିଥିଲେ। ଆହତ ତିନି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସ୍ଥାନାନ୍ତର ବେଳେ ରାସ୍ତାରେ ବାପା ତ୍ରିଲୋଚନ ଓ ମାଆ କଇଫୁଲଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ରଞ୍ଜିତକୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇ ଚମ୍ପୁଆ ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସେପଟେ, ଆଜି ଭଦ୍ରକରେ ଅଜଣା ଗାଡ଼ି ଧକ୍କାରେ ୨ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ଭଦ୍ରକ ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଥାନା ଅଧୀନ ଜସୋଟିକିରୀ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ମୃତକ ଦୁଇ ଜଣ ହେଲେ ବାଲେଶ୍ୱର ଜିଲ୍ଲା ବେଗୁନିଆ ଅଞ୍ଚଳ ରତ୍ନାକର ଦାସ ଓ ଚନ୍ଦନ ସ୍ୱାଇଁ । ଦୁଇ ଜଣ ବାଇକରେ କଟକ ଯାଉଥିବା ବେଳେ ସେମାନଙ୍କୁ ଏକ ଅଜଣା ଗାଡି ଧକ୍କା ଦେଈ ଫେରାର ହୋଇଯାଇଥିଲା । ଖବର ପାଇ ଭଣ୍ଡାରିପୋଖରୀ ଦମକଳ ବାହିନୀ ସେମାନଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ଡାକ୍ତରଖାନାକୁ ଆଣିଥିଲା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଭଣ୍ଡାରିପୋଖରୀ ପୋଲିସ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ମୃତଦେହକୁ ବ୍ୟବଛେଦ ପାଇଁ ଭଦ୍ରକ ଡାକ୍ତରଖାନା କୁ ପଠାଇଛି।
ସେହିପରି ,ଆଜି କୋରାପୁଟ ଜିଲ୍ଲାରେ ବସ ଦୁର୍ଘଟଣା ଘଟି ୧୫ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । 'ଜଗା କାଳିଆ' ନାମକ ଏକ ପର୍ଯ୍ୟଟକ ବସ ୬୦ ଜଣ ଯାତ୍ରୀଙ୍କୁ ନେଇ ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡିରୁ ଗୁଣପୁର ଅଭିମୁଖେ ଯାଉଥିବା ବେଳେ କୋରାପୁଟ ଜିଲ୍ଲାର ଆଉଳି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ି ଥିଲା । ଏହି ଦୁର୍ଘଟଣାରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ଦେଖି ନିକଟସ୍ଥ ଜମିରେ କାମ କରୁଥିବା ଚାଷୀମାନେ ପ୍ରଥମେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ନବରଙ୍ଗପୁର ଓ ବୋରିଗୁମ୍ମା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବସ୍ ଭିତରେ ଫସିଥିବା ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରିଥିଲେ। ଆହତମାନଙ୍କୁ ତୁରନ୍ତ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ବୋରିଗୁମ୍ମା କମ୍ୟୁନିଟି ହେଲ୍ଥ ସେଣ୍ଟରକୁ ଚିକିତ୍ସା ପାଇଁ ପଠାଯାଇଛି । ଘଟଣାର ଖବର ପାଇ ବୋରିଗୁମ୍ମା ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଅନ୍ୟପଟେ, ଢେଙ୍କାନାଳରେ ମଧ୍ୟ ଏକ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ୫ ଜଣଙ୍କର ମୃତ୍ୟୁ ଘଟିବା ସହ ୨ ଜଣ ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏକ ଏକସୟୁଭି ଗାଡ଼ିରେ ୭ଜଣ ମିଶି ବରଯାତ୍ରୀ ଶୋଭାଯାତ୍ରାରେ ଯୋଗ ଦେବାକୁ ଯାଉଥିବାବେଳେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ପୋଖରୀ ମଧ୍ୟକୁ ପଶି ଯାଇଥିଲା । ମୃତକମାନେ ହେଲେ ରାମ ସାହୁ (୨୫), ଅବିନାଶ ସାହୁ (୨୬), ରାକେଶ କୁମାର ସାହୁ (୨୫), ଚନ୍ଦ୍ରକାନ୍ତ ସ୍ବାଇଁ (୨୭) ଏବଂ ଅନ୍ୟ ଜଣେ। ସମସ୍ତ ମୃତକ ବାଙ୍ଗୁରସିଂହ ଗ୍ରାମର ବୋଲି ଜଣାପଡ଼ିଛି । ଏହାକୁ ମିଶାଇ ଗତ ୧୨ ଘଣ୍ଟା ମଧ୍ୟରେ ରାଜ୍ୟରେ ୪ଟି ପୃଥକ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିବା ସହିତ ୧୮ଜଣ ଆହତ ହୋଇଛନ୍ତି ।




