ଡଙ୍ଗା ବୁଡ଼ିଯିବାରୁ ୧ ମୃତ ୨ ନିଖୋଜ
ଯାଜପୁର : ନଦୀ ମଝିରେ ବୁଡିଗଲା ଡଙ୍ଗା । ଯାଜପୁର ଖରସ୍ରୋତା ତନ୍ତୀଘାଟ ରେ ବଡ଼ ଅଘଟଣ । ଡଙ୍ଗା ବୁଡ଼ିଯିବାରୁ ଗୋଟିଏ ପରିବାରର ଭାସିଗଲେ ୪ଜଣ । ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ୨ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି । ଉଦ୍ଧାର ହୋଇଥିବା ୨ ଜଣଙ୍କୁ ଡାକ୍ତରଖାନା ନିଆଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ଅଗ୍ନିଶମ ବାହିନୀ ପକ୍ଷରୁ ଚାଲିଛି ଉଦ୍ଧାର କାର୍ଯ୍ୟ ।
ସୂଚନାନୁସାରେ, ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଡ଼ଅଁରକୁଳ ଗାଁ ଗଣ୍ଡଙ୍କୁଳ ନିକଟସ୍ଥ ଖରସ୍ରୋତା ନଦୀର ତନ୍ତିଘାଇ ନିକଟରେ ଗୋଟିଏ ପରିବାରର ୪ ଜଣ ଏକ ଡଙ୍ଗା ଯୋଗେ ନଦୀ ପାର୍ ହେଉଥିଲେ । ତେବେ ନଦୀ ମଝିରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୪ ଜଣ ବୁଡିଯାଇଥିଲେ । ହେଲେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବାକି ଦୁଇ ନିଖୋଜ ଅଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ୨ଜଣଂକୁ ଉଦ୍ଧାର କରାଯାଇଥିଲା ।
ସେପଟେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି । ନଦୀରେ ବୁଡ଼ିଯାଇଥିବା ୪ ଜଣଙ୍କ ପରିଚୟ ମିଳିଛି । ମହମ୍ମଦଜାପୁର ଗାଁର ସନାତନ ଦଳେଇଙ୍କ ପତ୍ନୀ, ଝିଅ ଓ ଦୁଇ ନାତି । ପତ୍ନୀ ଓ ଝିଅ ଉଦ୍ଧାର ହୋଇଥିବା ବେଳେ ଦୁଇ ନାତି ଏବେ ବି ନିଖୋଜ ଅଛନ୍ତି ।




