ବ୍ରହ୍ମ ତାଳଧ୍ୱଜ ରଥ ପାଇଁ ୧ କୋଟି
ଭୁବନେଶ୍ୱର : ତୁଳସୀ କ୍ଷେତ୍ରରେ ଗଡୁଥିବା ବ୍ରହ୍ମ ତାଳଧ୍ୱଜ ରଥ ଏଥର ନୂଆ ହେବ । ଅର୍ଥାତ ପୂର୍ବରୁ ଯେପରି ପୁରୁଣା ରଥକୁ ମରାମତି କରାଯାଉଥିଲା ତାହା ହେବ ନାହିଁ । ରଥ ପାଇଁ ବ୍ୟବହାର ହେଉଥିବା ସମସ୍ତ ଚକ, ଅଖ ନୂଆ ହେବ । ପୂର୍ବ ବର୍ଷର କୌଣସି ପୁରୁଣା କାଠ ବ୍ୟବହାର ହେବ ନାହିଁ । ଏହି ନୂଆ ରଥ ନିର୍ମାଣ ପାଇଁ ସରକାର ଏକ କୋଟି ଟଙ୍କା ପ୍ରଦାନ କରିବେ ବୋଲି ବିଧି ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ନୂତନ ରଥ ନିର୍ମାଣ କରିବା ପାଇଁ ହେଲେ ୩୫୫୦ କୁବିକ ଫୁଟ ଶାଳ କାଠର ଆବଶ୍ୟକତା ରହିଥିବା ମନ୍ଦିର ପ୍ରଶାସନର ଅଧିକାରୀ ବଳଭଦ୍ର ପତ୍ରୀ କହିଛନ୍ତି । ଏହି କାଠକୁ ବନ ବିଭାଗ ଠାରୁ କିଣିବାକୁ ପଡିବ । କାରଣ ସରକାର କେବଳ ପୁରୀ ରଥଯାତ୍ରା ଓ ଲିଙ୍ଗରାଜ ରଥଯାତ୍ରା ପାଇଁ ମାଗଣାରେ କାଠ ଯୋଗାଇ ଦିଅନ୍ତି । ହେଲେ କେନ୍ଦ୍ରାପଡ଼ାର ବ୍ରହ୍ମତାଳଧ୍ୱଜ ରଥ ପାଇଁ ମାଗଣାରେ କାଠ ଯୋଗାଇ ଦିଅନ୍ତି ନାହିଁ । ପ୍ରତିବର୍ଷ ବ୍ରହ୍ମ ତାଳଧ୍ୱଜ ରଥ ପାଇଁ ୬୩୮ କୁବିକ ଫୁଟର କାଠର ଆବଶ୍ୟକତା ପଡିଥାଏ । ହେଲେ ଚଳିତ ବର୍ଷ ନୂତନ ରଥ ନିର୍ମାଣ ପାଇଁ ସରକାର ନିର୍ଦେଶ ଦେଇଥିବାରୁ ବନ ବିଭାଗକୁ ମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଯୋଗ କରାଯିବ । ବନ ବିଭାଗ ଯେଉଁ ଜଙ୍ଗଲରୁ କାଠ ଆଣିବା ପାଇଁ କହିବ , ସେଠାରୁ କାଠ ଅଣାଯିବ । ମୁଖ୍ୟତଃ ନୟାଗଡ଼ କିମ୍ବା କେନ୍ଦୁଝର ଜଙ୍ଗଲରୁ କାଠ ଅଣାଯାଇଥାଏ । ତେଣୁ ବନ ବିଭାଗ ଯେଉଁ ଜଙ୍ଗଲ ଚିହ୍ନଟ କରିବ ସେହି ଜଙ୍ଗଲରୁ କାଠ ଆସିବ ।
ସେହିପରି ରଥ ମରାମତି ପାଇଁ ପ୍ରତିବର୍ଷ ୩୦ ଜଣ ମହାରଣା ଓ ୨୦ ଜଣ ସହଯୋଗୀ ନିୟୋଜିତ ହୋଇଥାନ୍ତି । ଏଥିପାଇଁ ମଜୁରୀ ବାବଦରେ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ପ୍ରତିବର୍ଷ ବ୍ରହ୍ମ ତାଳଧ୍ୱଜର ଅଖ ଓ ଚକ ବଦଳା ଯାଇଥାଏ । ଏହାସହ ଅନ୍ୟ ଯେଉଁ ସ୍ଥାନ ଦୁର୍ବଳ ଥାଏ ତାହାକୁ ବଦଳା ଯାଇଥାଏ । କିନ୍ତୁ ଚଳିତ ବର୍ଷ ସଂପୂର୍ଣ୍ଣ ନୂତନ ରଥ ନିର୍ମାଣ ହେଲେ ଅଧିକ ମହାରଣାଙ୍କୁ ନିଯୁକ୍ତି କରିବାକୁ ପଡିବ । ସେମାନଙ୍କ ମଜୁରୀ ମଧ୍ୟ ଅଧିକ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ସରକାରଙ୍କ ଏହି ନିଷ୍ପତ୍ତିକୁ କେନ୍ଦ୍ରାପଡ଼ାବାସୀ ସ୍ୱାଗତ କରିଛନ୍ତି ।



