ଭୁବନେଶ୍ୱରରେ ଖୋଲିବ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’: ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର : ଆସନ୍ତା ୧ ଏପ୍ରିଲ ୨୦୨୬ ଅର୍ଥାତ୍ ‘ଓଡ଼ିଶା ଦିବସ’ ଅବସରରେ ଭୁବନେଶ୍ୱରରେ ଏକ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ଭିଏଫଏସ ଗ୍ଲୋବାଲ ଗ୍ରୁପର ପ୍ରତିଷ୍ଠାତା ତଥା ସିଇଓ ଜୁବିନ କର୍କାରିଆ ସୂଚନା ଦେଇଛନ୍ତି ।
ଓଡ଼ିଶାରୁ ବିଦେଶକୁ ଉଚ୍ଚଶିକ୍ଷା ଓ ବ୍ୟବସାୟ ପାଇଁ ଯାଉଥିବା ଯୁବବର୍ଗଙ୍କ ସୁବିଧା ପାଇଁ ଶ୍ରୀ ପ୍ରଧାନ ଗତବର୍ଷ ଅର୍ଥାତ୍ ସେପ୍ଟେମ୍ବର ୨,୨୦୨୫ରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ୍. ଜୟଶଙ୍କରଙ୍କୁ ପତ୍ର ଲେଖି ଏକ ସ୍ଥାନୀୟ କେନ୍ଦ୍ର ପ୍ରତିଷ୍ଠା ପାଇଁ ଅନୁରୋଧ କରିଥିଲେ । ଏଥିସହିତ ସେ ଭିଏଫଏସର ଗ୍ଲୋବାଲ ସିଇଓ ଜୁବିନ କର୍କାରିଆଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ତେବେ ଭିଏଫଏସର ଗ୍ଲୋବାଲ ସିଇଓ ଏହି ପ୍ରସ୍ତାବକୁ ସ୍ୱୀକାର କରି ଭୁବନେଶ୍ୱରରେ ୧ ଏପ୍ରିଲ ୨୦୨୬ ରୁ ଭିସା ଆବେଦନ କେନ୍ଦ୍ର ଖୋଲିବା ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପତ୍ର ଲେଖି ଜଣାଇଛନ୍ତି । ସେ ଉଲ୍ଲେଖ କରିଛନ୍ତି, ପ୍ରଥମ ପର୍ଯ୍ୟାୟରେ ଏହି କେନ୍ଦ୍ରରୁ ୟୁକେ ଏବଂ କେତେକ ବଛାବଛା ଦେଶ ପାଇଁ ଭିସା ଆବେଦନ ଗ୍ରହଣ କରାଯିବ । ପରବର୍ତ୍ତୀ ସମୟରେ ଚାହିଦା ଅନୁଯାୟୀ ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ଏଥିରେ ସାମିଲ କରାଯିବ । ଏହି କେନ୍ଦ୍ର ମାଧ୍ୟମରେ ସ୍ଥାନୀୟ ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯାଇ ନିଯୁକ୍ତି ପ୍ରଦାନ କରାଯିବ । ଭିସା କେନ୍ଦ୍ର ସହିତ 'ଭିସା କନସିଅର୍ଜ ସେବା' ମଧ୍ୟ ଉପଲବ୍ଧ ହେବ, ଯାହା ଫର୍ମ ପୂରଣ, ବୀମା ଏବଂ ଅନ୍ୟାନ୍ୟ ପ୍ରକ୍ରିୟାକୁ ସହଜ କରିବ।



