ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ଆବେଦନ ଫର୍ମରେ ଯୋଡ଼ିହେଲା ‘ତୃତୀୟ ଲିଙ୍ଗ’
ମାର୍ଚ୍ଚ ୭ ପର୍ଯ୍ୟନ୍ତ ଆବେଦନ ଅବଧି ବୃଦ୍ଧି
ଭୁବନେଶ୍ୱର : ତୃତୀୟ ଲିଙ୍ଗୀଙ୍କ ପାଇଁ ଖୁସି ଖବର । ଏଣିକି ତୃତୀୟ ଲିଙ୍ଗୀ ଦେଇପାରିବେ ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା । ଓସିଏସ ପରୀକ୍ଷା ଆବେଦନ ଫର୍ମରେ ଯୋଡ଼ିହେଲା ‘ତୃତୀୟ ଲିଙ୍ଗ’ ବିକଳ୍ପ। ଏ ସଂକ୍ରାନ୍ତରେ ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବର୍ଗର ପ୍ରାର୍ଥୀଙ୍କୁ ଓସିଏସ୍ଇ-୨୦୨୫ ପରୀକ୍ଷାରେ ସୁଯୋଗ ଦେବା ଲାଗି ପଞ୍ଜୀକରଣ ଓ ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି ।
ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା-୨୦୨୫ ବିଜ୍ଞପ୍ତିରେ ସଂଶୋଧନ କରାଯାଇଛି । ଏହି ବର୍ଗର ପ୍ରାର୍ଥୀଙ୍କୁ ପରୀକ୍ଷାରେ ସୁଯୋଗ ଦେବା ଲାଗି ପଞ୍ଜୀକରଣ ଓ ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି । ଯଦି ତୃତୀୟ ଲିଙ୍ଗ ମାନ୍ୟତା ପାଇବା ପରେ ପ୍ରାର୍ଥୀଙ୍କ ନାମରେ କୌଣସି ପରିବର୍ତ୍ତନ ହୋଇଥାଏ, ତେବେ ସେ ସମ୍ପର୍କିତ ଡକ୍ୟୁମେଣ୍ଟ ମଧ୍ୟ ଦାଖଲ କରିବା ଅନିର୍ବାର୍ଯ୍ୟ। ଏହି ନିଷ୍ପତ୍ତି ପଛରେ ଓଡ଼ିଶା ମାନବାଧିକାର କମିଶନ OHRCଙ୍କ ନିର୍ଦ୍ଦେଶ ରହିଛି।
ଆସନ୍ତା ୨୦ ତାରିଖ ପଞ୍ଜୀକରଣ ଅବଧି ଶେଷ ହେଉଥିବାବେଳେ ଏହାକୁ ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିଭଳି ମାର୍ଚ୍ଚ ୭ ତାରିଖ ଆବେଦନ କରିବାର ଶେଷ ସମୟ ରଖାଯାଇଛି । ସମ୍ପୃକ୍ତ ବର୍ଗର ପ୍ରାର୍ଥୀଙ୍କୁ ସେମାନଙ୍କ ପରିଚୟପତ୍ର ତଥା କାର୍ଡ ଆବେଦନ ସମୟରେ ଅପଲୋଡ୍ କରିବାକୁ କୁହାଯାଇଛି । ଓପିଏସସି୍ ପକ୍ଷରୁ ଗ୍ରୁପ ଏ' ଏବଂ ଗ୍ରୁପ ବି' ର ୪୬୫ ଟି ପଦ ପୂରଣ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସୂଚନାନୁସାରେ,ସୋନି ସିଲ୍ ନାମକ ଜଣେ ତୃତୀୟ ଲିଙ୍ଗୀ ପ୍ରାର୍ଥୀ OPSC ପରୀକ୍ଷା ଫର୍ମରେ ଉପଯୁକ୍ତ ବିକଳ୍ପ ନଥିବାରୁ ପାତରଅନ୍ତର ଅଭିଯୋଗ କରି ଏକ ପିଟିସନ ଦାଖଲ କରିଥିଲେ। ଏହାକୁ ଆଧାର କରି OHRC ରାଜ୍ୟ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗକୁ ଏହି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ।
“ରାଜ୍ୟର ସମସ୍ତ ସରକାରୀ ବିଭାଗ ଓ ନିଗମଗୁଡ଼ିକର ନିଯୁକ୍ତି ପ୍ରକ୍ରିୟାରେ ତୃତୀୟ ଲିଙ୍ଗ ବିକଳ୍ପ ସୁନିଶ୍ଚିତ କରିବାକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ମଧ୍ୟ କୁହାଯାଇଛି। ରାଜ୍ୟ ସରକାରଙ୍କୁ ଏହି ନିର୍ଦ୍ଦେଶାବଳୀର ଅନୁପାଳନ ରିପୋର୍ଟ ୬୦ ଦିନ ମଧ୍ୟରେ ଦାଖଲ କରିବାକୁ OHRC ନିର୍ଦ୍ଦେଶ ଦେଇଛନ୍ତି।



