ଥାନାରେ ‘ଥାର୍ଡଡିଗ୍ରୀ’ ,IIC ନିଲମ୍ବିତ
ଭୁବନେଶ୍ବର : ଥାନାରେ ‘ଥାର୍ଡଡିଗ୍ରୀ’ । ନିଲମ୍ବିତ ହେଲେ ଥାନା ଅଧିକାରିଣୀ । ତାଳଚୁଆ ମେରାଇନ୍ ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ନିଲମ୍ବିତ କରିଛନ୍ତି ପୋଲିସ ଡିଜି । ନିରୀହ ଲୋକଙ୍କ ଉପରେ ଦାଉ ସାଧିବା ଶେଷରେ ମହଙ୍ଗା ପଡିଲା ।
ଅଭିଯୋଗ ଅନୁଯାୟୀ, ଗତ ୨୫ ତାରିଖ ଦିନ ପାରିବାରିକ କଳହକୁ ନେଇ ଥାନାକୁ ଯାଇଥିଲେ ଗିରିଆପାହି ଗାଁର ଅନ୍ନପୂର୍ଣ୍ଣା ମଣ୍ଡଳ ଓ ତାଙ୍କ ପୁଅ । ପୋଲିସ ଏତଲା ରଖିବା ପରିବର୍ତ୍ତେ ୬ଘଣ୍ଟା ଧରି ଥାନାରେ ଅଟକ ରଖିଥିଲା । ମାଆକୁ ମାଡ ମାରିବା ସହ ପାଇଖାନା ଭିତରେ ପୁରାଇ ପୁଅକୁ ମାଡ ମାରିଥିବା ସହ ତାଙ୍କ ମୁଣ୍ଡରୁ ସିନ୍ଦୂର ପୋଛିଦେଇଥିଲେ ଥାନା ଅଧିକାରିଣୀ । ଘଟଣାକୁ ନେଇ କେନ୍ଦ୍ରାପଡା ଏସପି ଓ ପଟ୍ଟାମୁଣ୍ଡାଇ ଏସଡିପିଓଙ୍କ ନିକଟରେ ଅଭିଯୋଗ ପରେ ଆରମ୍ଭ ହୋଇଥିଲା ତଦନ୍ତ । ସନ୍ଧ୍ୟାରାଣୀ ଜେନାଙ୍କ ଏଭଳି ସଂବେଦନହୀନ କାର୍ଯ୍ୟକଳାପକୁ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛନ୍ତି । ଚିଠି ସଂଖ୍ୟା ୧୯୩୭ ଅନୁଯାୟୀ ତାଙ୍କୁ ତୁରନ୍ତ ଚାକିରିରୁ ନିଲମ୍ବିତ (ସସପେଣ୍ଡ) କରାଯାଇଛି । ନିଲମ୍ବନ ସମୟରେ ସେ କେନ୍ଦ୍ରାଞ୍ଚଳ ଆଇଜି (IG)ଙ୍କ କାର୍ଯ୍ୟାଳୟରେ ମୁତୟନ ରହିବେ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି । କାର୍ଯ୍ୟରେ ଚରମ ଅବହେଳା ଏବଂ ଅସଦାଚରଣ ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ତାଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ ପ୍ରକ୍ରିୟା ଆରମ୍ଭ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି ।



