'ରାଜ ଭବନ' ନାଁ ବଦଳି ହେଲା 'ଲୋକ ଭବନ'

ଭୁବନେଶ୍ୱର ଓ ପୁରୀସ୍ଥିତ 'ରାଜ ଭବନ' ହେଲା ‘ଲୋକ ଭବନ’

'ରାଜ ଭବନ' ନାଁ ବଦଳି ହେଲା 'ଲୋକ ଭବନ'
Samaya Live News Picture
Published On

ଭୁବନେଶ୍ୱର : ଓଡ଼ିଶାର ରାଜ ଭବନର ନାମ ପରିବର୍ତ୍ତନ କରାଯାଇଛି । ଏଣିକି ଭୁବନେଶ୍ୱର ଓ ପୁରୀସ୍ଥିତ ରାଜ ଭବନକୁ ‘ଲୋକ ଭବନ’ ଭାବରେ ନାମିତ କରାଯାଇଛି ।  ଆନୁଷ୍ଠାନିକ ଭାବରେ ‘ରାଜ ଭବନ’ ର ନାମ ପରିବର୍ତ୍ତନ କରାଯାଇ ‘ଲୋକ ଭବନ’ ନାମରେ ନାମିତ କରାଯାଇଛି ।  ଏହି ପରିବର୍ତ୍ତନ ସମ୍ପର୍କରେ ରାଜ ଭବନ ପକ୍ଷରୁ ସୋମବାର ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏହା ଓଡ଼ିଶାର ପ୍ରଶାସନିକ ପରିଚୟରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ।  ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ଆଧାରରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ଏହି ନାମକରଣକୁ ଅନୁମୋଦନ କରିଛନ୍ତି ।

ରାଜ୍ୟପାଳ ସୋସିଆଲ ମିଡ଼ିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ନାମ ପରିବର୍ତ୍ତନ ଲୋକଙ୍କ ଆଶାକୁ ପ୍ରତିଫଳିତ କରୁଛି । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଏବଂ ଗୃହ ମନ୍ତ୍ରାଳୟର ମାର୍ଗଦର୍ଶନରେ ଏହି ପରିବର୍ତ୍ତନ ସ୍ୱଚ୍ଛତା, ସୁଗମତା ଏବଂ ଜନସାଧାରଣଙ୍କ ସହ ଦୃଢ଼ ସମ୍ପର୍କ ସ୍ଥାପନ ପ୍ରତି ପ୍ରତିବଦ୍ଧତାକୁ ଦର୍ଶାଉଛି।

ରାଜ୍ୟପାଳ କହିଛନ୍ତି, “ଲୋକ ଭବନ ଏବେ ସାର୍ବଜନୀନ ଯୋଗାଯୋଗ ଏବଂ ସମସ୍ତଙ୍କର ପ୍ରଗତି ପାଇଁ ଏକ ଜୀବନ୍ତ ସ୍ଥାନ ଭାବରେ ଛିଡ଼ା ହେଉଛି, ଯାହା ଶାସନରେ ଗଭୀର ଅଂଶଗ୍ରହଣ ସୃଷ୍ଟି କରିବାର ସଂକଳ୍ପକୁ ପ୍ରତିଫଳିତ କରୁଛି।” 

୨୦୨୪ ମସିହାରେ ରାଜ୍ୟପାଳଙ୍କ ସମ୍ମିଳନୀ ସମୟରେ ହୋଇଥିବା ସୁପାରିଶ ପରେ ଏହି ନିଷ୍ପତ୍ତି ନିଆଯାଇଛି ।  ଯେଉଁଥିରେ ଉପନିବେଶ ଯୁଗର ଶବ୍ଦରୁ ଦୂରେଇ ଯାଇ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ଼ ​​କରିବା ପାଇଁ ସମଗ୍ର ଭାରତରେ ରାଜ ଭବନ ମାନଙ୍କର ନାମକୁ ‘ଲୋକ ଭବନ’ ନାମରେ ବଦଳାଇବାକୁ ପ୍ରସ୍ତାବ ଦିଆଯାଇଥିଲା।

Tags: