ଟ୍ୟାକ୍ସ ଫ୍ରି ହେଲା 'ମେହେରମୁଣ୍ଡା'
ଭୁବନେଶ୍ୱର : ବୁଣାକାରଙ୍କ ଜୀବନ ସଂଘର୍ଷ ଓ ସଫଳତାକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ର 'ମେହେରମୁଣ୍ଡା' କର ମୁକ୍ତ ହେଲା । ଚଳଚ୍ଚିତ୍ର ନିର୍ଦ୍ଦେଶକ ନିକୁଞ୍ଜ ହୋତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଓଡିଆ ଚଳଚ୍ଚିତ୍ର ‘ମେହେରମୁଣ୍ଡା’କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରମୁକ୍ତ ଘୋଷଣା କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଗତକାଲି (ଜୁନ ୯) ତାରିଖରେ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଓଡ଼ିଶାର ହସ୍ତତନ୍ତ ବୁଣାକାର ସଂପ୍ରଦାୟଙ୍କ ଜୀବନ, ସଂଘର୍ଷ, ସହନଶୀଳତା ଓ ସଫଳତା ଉପରେ ଆଧାରିତ ଏହି ଚଳଚ୍ଚିତ୍ର ୨୦୨୬ ମେ ୧୫ ତାରିଖରେ ମୁକ୍ତିଲାଭ କରିଥିବା ବେଳେ ଲୋକଙ୍କ ମନ ଜିତୁଛି । ଏହାରି ମଧ୍ୟରେ ଓଡ଼ିଶାର ମହାନ ପାରମ୍ପରିକ ଐତିହ୍ୟ ଓ କାରିଗରୀ କୌଶଳକୁ ଏହି ଚଳଚ୍ଚିତ୍ର ମାଧ୍ୟମରେ ନିଚ୍ଛକ ଭାବେ ପ୍ରଦର୍ଶିତ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଏହାକୁ କରମୁକ୍ତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ପଦକ୍ଷେପ ନେଇ ନିର୍ମାତା ସମେତ ଷ୍ଟାରକାଷ୍ଟ ଖୁସିବ୍ୟକ୍ତ କରିଛନ୍ତି ।
ଜିଆର ରେକର୍ଡସ ବ୍ୟାନରରେ ନିର୍ମିତ 'ମେହେରମୁଣ୍ଡା' ର ପ୍ରଯୋଜନା କରିଛନ୍ତି ରାକେଶ କୁମାର ପାଢୀ । ନିର୍ଦ୍ଦେଶନାର ଗୁରୁ ଦାଇତ୍ୱ ନିକୁଞ୍ଜ ହୋତା ଓ ସିନେମାଟୋଗ୍ରାଫିରେ ଶ୍ରୀକାନ୍ତ ପଟ୍ଟନାୟକ ରହିଛନ୍ତି ।



