‘ଜ୍ଞାନୋଦୟ- ଶିକ୍ଷାରୁ ସମୃଦ୍ଧି’ ଯୋଜନା ,+୨ ରୁ ପିଜି ନାମଲେଖା ସମ୍ପୂର୍ଣ୍ଣ ମାଗଣା
ଭୁବନେଶ୍ୱର : ଗତ ୧ ତାରିଖରେ କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ କ୍ୟାବିନେଟ ଅନୁମୋଦିତ ହୋଇଥିଲା । ଗଣଶିକ୍ଷା ବିଭାଗରେ ଚଳିତ ଶିକ୍ଷାବର୍ଷ (୨୦୨୬-୨୭) ରୁ ‘ଜ୍ଞାନୋଦୟ- ଶିକ୍ଷାରୁ ସମୃଦ୍ଧି ଯୋଜନାକୁ କାର୍ଯ୍ୟ କାରୀ କରାଗଲା । ସମସ୍ତ ସରକାରୀ, ପୂର୍ଣ୍ଣ ଅନୁଦାନପ୍ରାପ୍ତ ଓ ନୂତନ ଅନୁଦାନପ୍ରାପ୍ତ ହାଇସ୍କୁଲରେ ନାମଲେଖା ପାଇଁ କୌଣସି ଫି ନିଆଯିବ ନାହିଁ । ସେହିପରି ସରକାରୀ ଓ ଅନୁଦାନପ୍ରାପ୍ତ (୪୪୮ ଓ ୬୬୨) ଉଚ୍ଚ ମାଧ୍ୟମିକ ସ୍କୁଲ ଅର୍ଥାତ୍ ଯୁକ୍ତ ଦୁଇ କଲେଜରେ ନାମଲେଖା ପାଇଁ କୌଣସି ଫି ଗ୍ରହଣ କରାଯିବ ନାହିଁ । ଆଉ ଏବେ ବିଧିବଦ୍ଧ ଭାବେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି ।
ବର୍ତ୍ତମାନ ନାମଲେଖା ପର୍ବ ଚାଲିଥିବା ବେଳେ ଯୁକ୍ତ ଦୁଇରେ ନାମଲେଖା ଫି'କୁ ସଂପୂର୍ଣ ଭାବେ ମାଗଣା କରାଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି । ଯୁକ୍ତ ତିନି ତଥା ସ୍ନାତକ ଏବଂ ସ୍ନାତକୋତ୍ତର (ପିଜି)ରେ ନାମଲେଖା ପାଇଁ ମଧ୍ୟ କୌଣସି ଫି’ ନିଆଯିବ ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏମିତି ସ୍ନାତକରେ ଚଳିତ ଶିକ୍ଷା ବର୍ଷ ପାଇଁ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ର ଛାତ୍ରୀଙ୍କ ନାମଲେଖା ଫି'କୁ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫେରସ୍ତ କରାଯିବ । ଏହି ଯୋଜନାରେ ପ୍ରଥମ ବର୍ଷରେ ୮୯୫.୫୭କୋଟି ଟଙ୍କା ଓ ପାଞ୍ଚ ବର୍ଷରେ ୫,୪୬୭.୫୫ କୋଟି ଟଙ୍କା ବ୍ୟୟକୁ କ୍ୟାବିନେଟ୍ରେ ଅନୁମୋଦନ ମିଳିଛି।
ସୂଚନାନୁସାରେ, ବୁଧବାର ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି । କଟକ +୨ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶୀର୍ଷରେ ରହିଛି । ଏଥିରେ ନାମଲେଖା ପାଇଁ ଚୟନ ହୋଇଥିବା ଛାତ୍ର ଛାତ୍ରୀଙ୍କ ଠାରୁ କୌଣସି ନାମଲେଖା ଫି’ ଗ୍ରହଣ କରାଯିବ ନାହିଁ। ଗଣଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚ ଚଳିତବର୍ଷ ନାମ ଲେଖାଇ ଥିବା ପିଲାଙ୍କୁ ଫି’ ଫେରସ୍ତ ହେବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ହୋଇଥିବା ଚିଠିରେ ଉଲ୍ଲେଖ କରାଯାଇଛି । ମାତ୍ର ସେଲ୍ଫ ଫାଇନାନ୍ସ, ଅଣ ଅନୁଦାନପ୍ରାପ୍ତ, ପିପିପି ମୋଡ୍ରେ ପରିଚାଳିତ ଅନୁଷ୍ଠାନ ଓ ପାଠ୍ୟକ୍ରମ ତଥା ବୃଭିଗତ ଓ ବୈଷୟିକ ପାଠ୍ୟକ୍ରମକୁ ଏହି ଯୋଜନାରେ ସାମିଲ କରାଯାଇନାହିଁ ।




