‘ଗ୍ରାମ ସମ୍ପଦ କାର୍ଯ୍ୟକ୍ରମ’, ପଞ୍ଚାୟତ ରାଜ ବିଭାଗର ରୋଡ଼ ମ୍ୟାପ ପ୍ରସ୍ତୁତ

 ‘ଗ୍ରାମ ସମ୍ପଦ କାର୍ଯ୍ୟକ୍ରମ’, ପଞ୍ଚାୟତ ରାଜ ବିଭାଗର ରୋଡ଼ ମ୍ୟାପ ପ୍ରସ୍ତୁତ
Samaya Live News Picture
Published On

ଭୁବନେଶ୍ୱର : ପଂଚାୟତ ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା । ଏଣିକି ଗ୍ରାମବାସୀଙ୍କୁ ଉପଲବ୍ଧ ହେବ  ସହରୀ ସୁବିଧା । ସରକାର ଆରମ୍ଭ କରିବେ 'ଗ୍ରାମ ସମ୍ପଦ କାର୍ଯ୍ୟକ୍ରମ' । ଗାଁର ବିକାଶ ପାଇଁ ସବୁ ଯୋଜନାକୁ ଦେବେ ବାସ୍ତବ ରୂପ ।  ପଞ୍ଚାୟତସ୍ତରରେ ଆଦର୍ଶ ଖେଳ ପଡ଼ିଆ, କଲ୍ୟାଣ ମଣ୍ଡପ, ଗ୍ରାମୀଣ ହାଟ, ପୋଖରୀ, ପାର୍କ, ପାଠାଗାର ଓ ସ୍ମଶାନ ଭଳି ବିଭିନ୍ନ ଭିତ୍ତିଭୂମି ବିକଶିତ କରାଯିବ । ପଞ୍ଚାୟତରେ ବିକାଶମୂଳକ ପ୍ରକଳ୍ପରେ ଖର୍ଚ୍ଚ କରିବ ଦେଢ କୋଟିରୁ ୩ କୋଟି ଟଙ୍କା । ଯେଉଁ ପଞ୍ଚାୟତରେ ଜନସଂଖ୍ୟା ଅଧିକ ସେଠି ଖର୍ଚ୍ଚ ହେବ ଅଧିକ ପାଣ୍ଠି । ଏଥିପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଛି ପଞ୍ଚାୟତିରାଜ ବିଭାଗ । ଏନେଇ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । 

ପଞ୍ଚାୟତରେ କେଉଁ ପ୍ରକଳ୍ପର ଆବଶ୍ୟକତା ରହିଛି, ତାହା ଗ୍ରାମସଭା ମାଧ୍ୟମରେ ନିର୍ଦ୍ଧାରଣ କରାଯିବ । ଲୋକଙ୍କ ଆବଶ୍ୟକତା ଓ ପ୍ରସ୍ତାବ ଆଧାରରେ ବିଭିନ୍ନ ବିକାଶମୂଳକ କାମ ପଞ୍ଚାୟତିରାଜ ବିଭାଗ ହାତକୁ ନେବ । ଏହା ମାଧ୍ୟମରେ ଗାଁରେ ମନୋରଞ୍ଜନ, କ୍ରୀଡ଼ା, ସାମାଜିକ କାର୍ଯ୍ୟ ଓ ସାର୍ବଜନୀନ ସୁବିଧାକୁ ଆହୁରି ସୁଦୃଢ଼ କରାଯିବ । 

ଆଦର୍ଶ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୪୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ପ୍ରାୟ ୭୦.୩୨ ଫୁଟ୍‌ ଅଞ୍ଚଳରେ ଏହା ନିର୍ମାଣ ହେବ । ଏଥିରେ ଦୁଇଟି ଗ୍ରୀନ୍‌ ରୁମ୍‌ ସହ ପେଣ୍ଡାଲର ବ୍ୟବସ୍ଥା ରହିବ । ନାଚ, ଗୀତ, ଡ୍ରାମା ସହ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଏଠାରେ ଆୟୋଜନ କରାଯାଇପାରିବ । ଭୋଜିଭାତ ପାଇଁ ମଧ୍ୟ ସୁବିଧା ରହିବ ଏବଂ ପଞ୍ଚାୟତ ପକ୍ଷରୁ ପାଣି ଯୋଗାଣ କରାଯିବ । ଆଦର୍ଶ ପୋଖରୀ ନିର୍ମାଣ ଓ ବିକାଶ ପାଇଁ ୩୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ପୋଖରୀ ଚାରିପଟେ ପଥର ବନ୍ଧେଇ ସହ ଫେଭର ବ୍ଲକ୍‌ ଲଗାଯିବ । ଏହା ସହ ଜିମ୍‌ ସାମଗ୍ରୀର ବ୍ୟବସ୍ଥା ମଧ୍ୟ ରହିବ । ଗାଁର ସ୍ମଶାନର ଉନ୍ନତିକରଣ ପାଇଁ ସରକାର ୨୨ ଲକ୍ଷ ଟଙ୍କା ଦେବେ । ସ୍ମଶାନର ଚାରିପଟେ ପାଚେରୀ ନିର୍ମାଣ କରାଯିବ ।

ଆଦର୍ଶ ଗ୍ରାମୀଣ ପାର୍କ ନିର୍ମାଣ ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ପାର୍କରେ ଜିମ୍‌ ସହ ଲୋକଙ୍କ ବସିବା ପାଇଁ ସ୍ଥାନ ରହିବ । ଗ୍ରାମୀଣ ହାଟକୁ ମଧ୍ୟ ଆଦର୍ଶ ରୂପ ଦିଆଯିବ । ହାଟରେ ପାନୀୟ ଜଳର ବ୍ୟବସ୍ଥା ସହ ପ୍ରବେଶ ପାଇଁ ସୁନ୍ଦର ଗେଟ୍‌ ଓ ଆବଶ୍ୟକ ଭିତ୍ତିଭୂମି ବିକଶିତ କରାଯିବ । ପରିବେଶ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ବୃକ୍ଷରୋପଣ କାର୍ଯ୍ୟକ୍ରମ ଅଧୀନରେ ପ୍ରତି ଗ୍ରାମ ପଞ୍ଚାୟତରେ ୭୦୦ଟି ଗଛ ଲଗାଯିବ ।

ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ଓ ପାଠକଙ୍କ ପାଇଁ ଆଦର୍ଶ ପାଠାଗାର ନିର୍ମାଣ କରାଯିବ। ଏଥିପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ଏହାବ୍ୟତୀତ ପ୍ରତିବର୍ଷ ପ୍ରତି ଗାଁରେ ଗୋଟିଏ କଲ୍ୟାଣ ମଣ୍ଡପ ନିର୍ମାଣ କରିବା ନେଇ ମଧ୍ୟ ଯୋଜନା ରହିଛି । ଗ୍ରାମସଭାର ପ୍ରସ୍ତାବ ଆଧାରରେ ଏହି ସବୁ ପ୍ରକଳ୍ପକୁ ଆଗକୁ ନିଆଯିବ । ମୋଟାମୋଟି ଭାବେ, ଗାଁରେ ସହରୀ ସୁବିଧା ଯୋଗାଇ ଗ୍ରାମାଞ୍ଚଳର ଭିତ୍ତିଭୂମିକୁ ନୂଆ ରୂପ ଦେବା ଉପରେ ଫୋକସ୍‌ କରିଛି ପଞ୍ଚାୟତିରାଜ ବିଭାଗ ।

Tags: