ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିରରେ 'ଇ-ହୁଣ୍ଡୀ' ବ୍ୟବସ୍ଥା
'ସମର୍ପଣ ଆପ୍ ' ମାଧ୍ୟମରେ ମହାପ୍ରଭୁଙ୍କ ହୁଣ୍ଡିରେ ଅର୍ଥ ଦାନ କରି ପାରିବେ ଶ୍ରଦ୍ଧାଳୁ
ଭୁବନେଶ୍ବର : ଏଣିକି ଦୂର ଦୁରାନ୍ତର ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିରରେ ହୋଇଛି 'ଇ-ହୁଣ୍ଡୀ' ବ୍ୟବସ୍ଥା ।ଶ୍ରଦ୍ଧାଳୁମାନେ ସିଧା ସଳଖ ପୁରୀ ଆସି ମହାପ୍ରଭୁଙ୍କ ହୁଣ୍ଡୀ ରେ ଅର୍ଥ ଦାନ କରି ନପାରିଲେ ମଧ୍ୟ 'ସମର୍ପଣ ଆପ୍' ମାଧ୍ୟମରେ ମହାପ୍ରଭୁଙ୍କ ହୁଣ୍ଡିରେ ଅର୍ଥ ଦାନ କରି ପାରିବେ । ରାଜ୍ୟ ବାହାରେ ତଥା ବିଦେଶରେ ରହୁଥିବା ଶ୍ରଦ୍ଧାଳୁଙ୍କ ଲାଗି ଅନଲାଇନ ମାଧ୍ୟମରେ ହୁଣ୍ଡିରେ ଦାନ ଦେବା ବ୍ୟବସ୍ଥା କରାଯିବ । ଏହି ବ୍ୟବସ୍ଥା ପାଇଁ ଅନେକ ଭକ୍ତ ଇଚ୍ଛା କରି ଆସୁଛନ୍ତି । ଏହିକ୍ରମରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଇ- ହୁଣ୍ଡି ବ୍ୟବସ୍ଥା କାର୍ଯ୍ୟକାରୀ ନିମନ୍ତେ ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଚଳିତ ମାସରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏହାର ଉଦଘାଟନ ମୁଖ୍ୟମନ୍ତ୍ରୀ କରିବେ ।
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଇ- ହୁଣ୍ଡି ବ୍ୟବସ୍ଥା କାର୍ଯ୍ୟକାରୀ ନିମନ୍ତେ ଆଲୋଚନା ହୋଇଛି । ଭକ୍ତ ତଥା ଶ୍ରଦ୍ଧାଳୁ ନିଜ ଜନ୍ମଦିନ, ବିବାହ ବାର୍ଷିକୀ ତଥା ନିଜର ମନସ୍କାମନା ପୂରଣ ଖୁସିରେ କିଭଳି ଭାବେ ଅନଲାଇନ ମାଧ୍ୟମରେ ଶ୍ରୀମନ୍ଦିର ହୁଣ୍ଡିରେ ଅର୍ଥରାଶି ଦାନ କରିପାରିବେ, ସେ ବିଷୟରେ ଆଲୋଚନା କରାଯାଇଥିଲା। ଦାନ ଅର୍ଥରାଶି ପାଇଁ ଆୟକର ଛାଡ଼ ବ୍ୟବସ୍ଥା ରହିବାକୁ ଥିବା ବେଳେ ଭକ୍ତଙ୍କଠାରୁ ଦାନ ସୂତ୍ରରେ ଆସିବାକୁ ଥିବା ଅର୍ଥ କେବଳ ଶ୍ରୀମନ୍ଦିର ବିକାଶ ଦିଗରେ ଖର୍ଚ୍ଚ ହେବ । ଏହି ବ୍ୟବସ୍ଥାରୁ ସାଇବର ଅପରାଧୀ ଯେପରି ଫାଇଦା ଉଠାଇ ନ ପାରିବେ ସେଥିଲାଗି ବିହିତ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଛନ୍ତି।
ଅନ୍ୟପଟେ ,ଜଗନ୍ନାଥ ଜମିକୁ ନେଇ ଆସିବ ‘ୟୁନିଫର୍ମ ସେଟେଲମେଣ୍ଟ ପଲିସି’। ଜଗନ୍ନାଥଙ୍କ ଜମି ଦଖଲରେ ଥିବା ବ୍ୟକ୍ତିଙ୍କ ସହ ସେଟେଲମେଣ୍ଟ କରାଯିବ ଏବଂ ନିର୍ଦ୍ଧାରିତ ଅର୍ଥ ଆଦାୟ ପରେ ସେମାନଙ୍କୁ ମାଲିକାନା ପ୍ରଦାନ କରାଯିବ। ଆଦାୟ ଅର୍ଥ ଶ୍ରୀଜଗନ୍ନାଥଙ୍କ ଖାତାରେ ଜମା ହେବ । ଆସନ୍ତା କ୍ୟାବିନେଟ ବୈଠକରେ ଏନେଇ ଆଲୋଚନା କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।




