ଦୀଘା ଜଗନ୍ନାଥ ମନ୍ଦିରରୁ ହଟିବ 'ଧାମ', ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟିବ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଦେଇଛନ୍ତି । ପୁରୀ ଶ୍ରୀକ୍ଷେତ୍ରର ଅନନ୍ୟ ଐତିହାସିକ ଓ ସାଂସ୍କୃତିକ ପରିଚୟ ବଜାୟ ରଖିବାକୁ ମୋହନ ମାଝୀଙ୍କ ଅନୁରୋଧ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ । ‘ଦୀଘା ଜଗନ୍ନାଥ ଧାମ’ ବଦଳରେ ‘ଶ୍ରୀଜଗନ୍ନାଥ ମନ୍ଦିର, ଦୀଘା’ ଲେଖିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ମୋହନ ମାଝୀଙ୍କ ପ୍ରସ୍ତାବ । “‘ଜଗନ୍ନାଥ ଧାମ’ କେବଳ ପୁରୀ, ଅନ୍ୟ କୌଣସି ସ୍ଥାନ ପାଇଁ ଏହି ଶବ୍ଦର ବ୍ୟବହାର ଗ୍ରହଣୀୟ ନୁହେଁ” ବୋଲି ମୋହନ ମାଝୀ ଚିଠି ଲେଖିଛନ୍ତି ।
ଦୀଘା ମନ୍ଦିର ନାମକରଣକୁ ନେଇ ଜଗନ୍ନାଥ ପ୍ରେମୀ ଓ ଗବେଷକଙ୍କ ମଧ୍ୟରେ ଅସନ୍ତୋଷ । କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ଆଧ୍ୟାତ୍ମିକ ଭାବାବେଗର ସୁରକ୍ଷା ପାଇଁ ଓଡ଼ିଶା ସରକାରଙ୍କ ବଡ଼ ପଦକ୍ଷେପ ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, “ଜଗନ୍ନାଥ ଧାମ” ଶବ୍ଦଟି କେବଳ ପୁରୀ ଶ୍ରୀକ୍ଷେତ୍ର ସହ ଓତପ୍ରୋତ ଭାବେ ଜଡ଼ିତ, ଯାହା ଭାରତର ପବିତ୍ର ଚାରିଧାମ ମଧ୍ୟରୁ ଅନ୍ୟତମ ।ଏହି ନାମ ସହିତ କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ଆଧ୍ୟାତ୍ମିକ, ସାଂସ୍କୃତିକ ଓ ଐତିହାସିକ ଭାବନା ଜଡ଼ିତ ରହିଛି । ନାମ ସଂଶୋଧନ ଦ୍ୱାରା ଓଡ଼ିଶା-ପଶ୍ଚିମବଙ୍ଗ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ଆହୁରି ମଜବୁତ ହେବବୋଲି କହିଛନ୍ତି ମୋହନ ମାଝୀ ।



