୧୪ରେ ସରିବ +୨ ପ୍ରଥମ ପର୍ଯ୍ୟାୟ ଖାତା ମୂଲ୍ୟାୟନ
ଭୁବନେଶ୍ବର : ଏପ୍ରିଲ ୨ ରୁ ଆରମ୍ଭ ହୋଇଥିବା +୨ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା ଆସନ୍ତା ୧୪ ରେ ସରିବ । ୧୫ରୁ ପୁନର୍ବାର ଦ୍ବିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଆରମ୍ଭ ହେବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମର ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା ଚାଲିଛି । ଚଳିତ ବର୍ଷ ମୋଟ ୩ ଲକ୍ଷ ୯୬ ହଜାର ୫୯୨ଜଣ ପରୀକ୍ଷା ଦେଇଛନ୍ତି ।
ପ୍ରଥମ ପର୍ଯ୍ୟାୟ ରେ ୧୫୧ ଟି ପରୀକ୍ଷା କେନ୍ଦ୍ରରେ ଖାତା ଦେଖାଯାଉଛି । ପ୍ରଥମ ପର୍ଯ୍ୟାୟରେ ୭୫ଟି ଇ-ମୂଲ୍ୟାୟନ କେନ୍ଦ୍ର ଓ ୭୬ ଅଫ୍ଲାଇନ୍ କେନ୍ଦ୍ରରେ ପାରମ୍ପରିକ ପଦ୍ଧତିରେ ଅଫଲାଇନ୍ ଖାତା ଦେଖା ଚାଲିଛି । ମୋଟ ୧୫୧ କେନ୍ଦ୍ରରେ ୮୨୫୮ ଅଧ୍ୟାପକ ଅଧ୍ୟାପିକା ଖାତା ଦେଖୁଛନ୍ତି ।
ଦ୍ବିତୀୟ ପର୍ଯ୍ୟାୟରେ ଚଳିତ ମାସ ୧୫ରୁ ୨୬ ପର୍ଯ୍ୟନ୍ତ ଖାତା ଦେଖାଯିବ । ୨ ଟି ପର୍ଯ୍ୟାୟରେ ମୋଟ ୧୬ ହଜାର ୪୯୪ ଅଧ୍ୟାପକ ଅଧ୍ୟାପିକା ଖାତା ଦେଖିବେ । ମୋଟ ୨୫ ଲକ୍ଷ ଖାତା ଦେଖାଯିବ । ମେ’ ତୃତୀୟ କିମ୍ବା ଚତୁର୍ଥ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ। ମୂଲ୍ୟାୟନ ନେଇ ପରିଷଦ ପକ୍ଷରୁ ସ୍ବତନ୍ତ୍ର ନିୟମାବଳୀ ଜାରି କରାଯାଇଛି ।



