ଆଜି ପ୍ରକାଶ ପାଇବ +୨ ପରୀକ୍ଷା ଫଳ
ଭୁବନେଶ୍ୱର : ଆଜି ପ୍ରକାଶ ପାଇବ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଫଳ । ଏକ ସଙ୍ଗେ କଳା ବିଜ୍ଞାନ ଓ ଧନ୍ଦାମୂଳକ ସହ ପତ୍ର ବିନିମୟ ପାଠ୍ୟକ୍ରମ (କରେସପଣ୍ଡେସ୍ କୋର୍ସ) ପରୀକ୍ଷାଫଳ ପ୍ରକାଶ ପାଇବ । ଆଜି ମଧ୍ୟାହ୍ନ ୧୨ଟା ୩୦ରେ ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି । ପରୀକ୍ଷା ଫଳ ଘୋଷଣା ପରେ ଅପରାହ୍ଣ ୩ଟାରୁ results.odisha.gov.in ଓ results.digilocker.gov.in ୱେବ୍ସାଇଟ ମାଧ୍ୟମରେ ନିଜ ରୋଲ ନମ୍ବର ଏବଂ ରେଜିଷ୍ଟ୍ରେଶନ ନମ୍ବର ଦେଇ ପରୀକ୍ଷାଫଳ ଦେଖିପାରିବେ । ସେହିପରି ଛାତ୍ରୀଛାତ୍ର ନିଜ ଡିଜିଲକର ଆକାଉଣ୍ଟରୁ ମଧ୍ୟ ମାର୍କଶିଟ୍ ଡାଉନ୍ଲୋଡ୍ କରିପାରିବେ । ଏଥିସହ ସାମ୍ସ କଲେଜ ଇ-ପେସ୍ ପୋର୍ଟାଲ ମାଧ୍ୟମରେ ରେଜଲ୍ଟ ପାଇପାରିବେ ବୋଲି ସିଏଚ୍ଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାନୁସାରେ , ଚଳିତବର୍ଷ ଫେବୃଆରୀ ୧୮ରୁ ମାର୍ଚ୍ଚ ୨୮ ତାରିଖ ଯାଏ ଯୁକ୍ତ୨ ପରୀକ୍ଷା ଚାଲିଥିଲା। ୪ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ।




