୨୧ ତାରିଖରୁ ହବିଷ୍ୟାଳୀଙ୍କ ପାଇଁ ଶ୍ରୀମନ୍ଦିରରେ ବ୍ୟାରିକେଡ଼ ବ୍ୟବସ୍ଥା
ପୁରୀ : ନଭେମ୍ବର ୨୧ ତାରିଖରୁ ଆରମ୍ଭ ହେଉଛି ପଞ୍ଚୁକ ବ୍ରତ । ହବିଷ୍ୟାଳିଙ୍କ ନିମନ୍ତେ ପୁରୀ ଶ୍ରୀମନ୍ଦିର ଓ ବଡ଼ଦାଣ୍ଡରେ ସ୍ୱତନ୍ତ୍ର ବ୍ୟାରିକେଡ଼ ବ୍ୟବସ୍ଥା ଲାଗୁ କରାଯାଉଛି । ପଞ୍ଚୁକ ସମୟରେ ହବିଷ୍ୟାଳୀ ଏବଂ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ନିୟନ୍ତ୍ରଣ କରି ଶୃଙ୍ଖଳିତ ଦର୍ଶନ କରାଇବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।
ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରୁ ଲୁହା ବ୍ୟାରିକେଡ୍ ମରିଚିକୋଟ ଛକ ଆଡ଼କୁ ଲମ୍ବୁଛି । ପଞ୍ଚୁକର ପ୍ରଥମ ଦିବସ ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କ ହରିଉତ୍ଥାପନ ଏକାଦଶୀ ନୀତି । ୨୪ ତାରିଖ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମାରେ ଦାରୁବ୍ରହ୍ମଙ୍କ ରାଜାଧିରାଜ ବେଶ ହେବ । ପଞ୍ଚୁକରେ ଜନସମାଗମକୁ ଦେଖି ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟାରିକେଡ୍ ମାର୍କେଟ ଛକ ପର୍ଯ୍ୟନ୍ତ କରାଯିବ ବୋଲି ସୂଚନା ରହିଛି । ବୟସ୍କା ହବିଷ୍ୟାଳୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୋଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ, ସେଥିପାଇଁ ସେମାନଙ୍କ ରହିବା ସ୍ଥାନରୁ ମନ୍ଦିର ପର୍ଯ୍ୟନ୍ତ ସ୍ୱତନ୍ତ୍ର ଯାତାୟାତ ଏବଂ ଧାଡ଼ି ଦର୍ଶନର ବ୍ୟବସ୍ଥା କରାଯାଇଛି ।
ପଞ୍ଚୁକ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଥାଏ । ଏଣୁ ଏହାକୁ ଆଖିରେ ରଖି ମଙ୍ଗଳବାର ଅପରାହ୍ଣରେ ବଡ଼ଦାଣ୍ଡରେ ବ୍ୟାରିକେଡ୍ ତିଆରି ଆରମ୍ଭ ହୋଇଛି । ବ୍ୟାରିକେଡ୍ରେ ଦର୍ଶନାର୍ଥୀମାନେ ଶୃଙ୍ଖଳାର ସହ ଶ୍ରୀମନ୍ଦିରକୁ ଯାଇ ଠାକୁରଙ୍କ ଦର୍ଶନ କରିବେ ଓ ମହାପ୍ରସାଦ ପାଇବେ । ପ୍ରଥମଦିନ ଶ୍ରୀମନ୍ଦିରରେ ହରିଉତ୍ଥାପନ ନୀତି ସହ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ । ସାଧାରଣତଃ ପଞ୍ଚୁକ ୫ଦିନରେ ଦାରୁଦେବତାଙ୍କର ୫ଟି ବେଶ ହୋଇଥାଏ । ଚଳିତ ବର୍ଷ ଦ୍ୱାଦଶୀ କ୍ଷୟ ଯାଇଥିବାରୁ ଠାକୁରଙ୍କ ବାଙ୍କଚୁଡ଼ ବେଶ କିମ୍ବା ବାବନ ବେଶ ହେବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୂର୍ବ ସୂଚନା ଦିଆଯାଇଛି । ୨୨ ତାରିଖ ରବିବାର ମହାପ୍ରଭୁଙ୍କ ଡାଳିକିଆ ବେଶ ତଥା ତ୍ରିବିକ୍ରମ ବେଶ ଓ ୨୩ ତାରିଖ ସୋମବାର ଲକ୍ଷ୍ମୀନୃସିଂହ ବେଶ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଛି ।
ସେହିପରି , ମନ୍ଦିରର ଚାରିଦ୍ୱାର ନିକଟରେ ବ୍ୟାରିକେଡ଼ ଲଗାଯିବା ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱକୁ 'ନୋ ଭେହିକିଲ୍ ଜୋନ୍' ଭାବେ ଘୋଷଣା କରାଯାଇଛି। ଭିଡ଼ ନିୟନ୍ତ୍ରଣ ଓ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବଳ ମୁତୟନ କରାଯିବା ସହ କଣ୍ଟ୍ରୋଲ୍ ରୁମ୍ ମାଧ୍ୟମରେ ନଜର ରଖାଯାଉଛି ।




