ସୁସ୍ଥ ହୋଇ ଫେରିବା ବାଟରେ ଡାକିନେଲା ଯମ

ସୁସ୍ଥ ହୋଇ ଫେରିବା ବାଟରେ ଡାକିନେଲା ଯମ

ବ୍ରହ୍ମପୁର : ଏମିତି ବି ମୃତ୍ୟୁ ଆସେ । ଜୀବନ ବଞ୍ଚାଇବାକୁ ଯାଇ ସୁସ୍ଥ ହୋଇ ଫେରୁଥିବାବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହର ଉପକଣ୍ଠ  ୩୨୬ ନଂ ଜାତୀୟ ରାଜପଥ କପାମଣ୍ଡି ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଆମ୍ବୁଲାନ୍ସ ସହ ବୋଲେରୋ ଧକ୍କା ହେବାରୁ ମହିଳାଙ୍କ ମୃତ୍ୟୁ ହୋଇଛି । ଏଥିରେ ତାଙ୍କ ଭଉଣୀ ଓ ଭଣଜା ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଚାରିଝୋଡି ଗାଁର ଆଶାକର୍ମୀ ଲଳିତା ନାୟକ ।

ସମ୍ବନ୍ଧିତ ଖବର ଘରେ ଯାଇ ପଢ଼ାଇବେ ଶିକ୍ଷକ

ସୂଚନାନୁସାରେ,ଆଶାକର୍ମୀ ଲଳିତାଙ୍କୁ ସୁସ୍ଥ କରାଇ ପରିବାର ଲୋକେ ସୋମବାର ରାତି ପ୍ରାୟ ସାଢ଼େ ୨ଟାରେ କଟକ ବଡ଼ ଡ଼ାକ୍ତରଖାନାରୁ ଏକ ଆମ୍ବୁଲାନ୍ସ ଯୋଗେ  କାଶୀପୁର ରାୟଗଡକୁ ଫେରୁଥିଲେ । ସେହି ସମୟରେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଏକ ବୋଲେରୋ ଆମ୍ବୁଲାନ୍ସ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଲଳିତାଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ଭଉଣୀ କୁମାରୀ ନାୟକ ଏବଂ ଭଣଜା ବୁଣା ନାୟକ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ପୋଲିସ କର୍ମଚାରୀ ମାନଙ୍କ ସହାୟତାରେ ସମସ୍ତ ଆହତ ମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଲଳିତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ମାମଲା ରୁଜୁ କରି ଲଳିତାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି । ଦୁର୍ଘଟଣାଗସ୍ତ ଦୁଇଟି ଗାଡ଼ିକୁ ଜବତ କରାଯାଇ ତଦନ୍ତ କରୁଛି ପୋଲିସ ।

ସମ୍ବନ୍ଧିତ ଖବର ମଞ୍ଚ ଛାଡିବିନି - ପିୟୁଷ

Tags: