ସାଂସଦଙ୍କୁ ଠକେଇ ଅଭିଯୋଗ ରେ ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ
ଭୁବନେଶ୍ୱର : ଜାଗା ଦେବାକୁ କହି ସାଂସଦଙ୍କୁ ଠକେଇ ଅଭିଯୋଗ । ଭୁବନେଶ୍ୱର ନୟାପଲ୍ଲୀ ନୂଆସାହି ଆପାର୍ଟମେଣ୍ଟରୁ ଗିରଫ ହେଲେ ପୂର୍ବତନ ମନ୍ତ୍ରୀ ନୃସିଂହ ସାହୁଙ୍କ ପୁଅ ଅଜିତ ସାହୁ । ସ୍ୱତନ୍ତ୍ର ୱାରେଣ୍ଟ ବଳରେ ବାନ୍ଧିଲା ନୟାପଲ୍ଲୀ ପୋଲିସ । ସାଂସଦ ସୁଜିତ କୁମାରଙ୍କ ସହ ଜମି ଠକେଇ କରିଥିଲେ ଅଜିତ ସାହୁ । ପୂର୍ବରୁ ତାଙ୍କୁ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ପଳାତକ ଘୋଷଣା କରିଥିଲା । ନୟାପଲ୍ଲୀ ବାନ୍ଧିଲା କମିସନରେଟ ପୋଲିସ ।
ସୂଚନାନୁସାରେ, ରାଜ୍ୟ ସଭା ସାଂସଦ ସୁଜିତ କୁମାରଙ୍କୁ ଜମି ଦେବାକୁ କହି ୫୦ଲକ୍ଷ ଟଙ୍କା ନେଇଥିଲେ ଅଜିତ। ଜମି ନ ମିଳିବାରୁ ସୁଜିତ ଟଙ୍କା ଫେରସ୍ତ କରିବାକୁ କହିଥିଲେ ମଧ୍ୟ ସେ ଦିନ ଗଡ଼ାଇ ଚାଲିଥିଲେ। ଶେଷରେ ସୁଜିତ ଏନେଇ ୨୦୨୪ରେ ଦିଲ୍ଲୀ ତୁଗଲକ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲାର ତଦନ୍ତ କରି କୋର୍ଟକୁ ଫାଇନାଲ ରିପୋର୍ଟ ପଠାଇ ଦେଇଥିଲା । ବାରମ୍ବାର କୋର୍ଟର ସମନ ସତ୍ୱେ ହାଜର ହୋଇ ନଥିଲେ ଅଜିତ। ଯେଉଁଥିପାଇଁ ତାଙ୍କ ବିରୋଧରେ ୱାରେଣ୍ଟ ଇସ୍ୟୁ କରିଥିଲେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ । ତେବେ ଠକେଇ ଅଭିଯୋଗକୁ ଅଜିତ ଖଣ୍ଡନ କରିଥିବା ବେଳେ ଏନେଇ ପୋଲିସ କିମ୍ବା ସାଂସଦ ସୁଜିତ କୁମାରଙ୍କ ପ୍ରତିକ୍ରିୟା ମିଳିପାରିନି।




