ମୌସୁମୀ ଅଧିବେଶନ ପାଇଁ ଆଜି ସର୍ବଦଳୀୟ ବୈଠକ
ଶଙ୍ଖ ଭବନରେ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱର : ଆସନ୍ତାକାଲି ୨୨ ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ମୌସୁମୀ ଅଧିବେଶନ । ଅକ୍ଟୋବର ୩ ତାରିଖ ଯାଏଁ ଚାଲିବ । ଅଧିବେଶନ ରେ ୯ଟି କାର୍ଯ୍ୟ ଦିବସ ରହିଛି ।
ଏହା ପୁର୍ବରୁ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଯାଉଛି ସର୍ବଦଳୀୟ ବୈଠକ । ସକାଳ ୧୧ଟାରେ ଏହି ବୈଠକ ବସିବ । ମୌସୁମୀ ଅଧିବେଶନକୁ ସୁରୁଖୁରୁରେ ଶେଷ କରିବାକୁ ବାଚସ୍ପତି ସବୁ ଦଳର ସହଯୋଗ ଲୋଡ଼ିପାରନ୍ତି । ଏ ନେଇ ବୈଠକରେ ଆଲୋଚନା ହୋଇପାରେ ।
ସେପଟେ ,ଆଜି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ବସିବ ଗୁରୁତ୍ତ୍ୱପୂର୍ଣ୍ଣ ବିଧାୟକ ଦଳ ବୈଠକ । ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ବୈଠକରେ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିବ ଦଳ ।
ଏମଏମଡିଆର ଆଇନ ପ୍ରସଙ୍ଗରୁ ବହି ତ୍ରୁଟି, ବନ୍ୟା ପରିଚାଳନାରେ ବିଫଳତା, ଆଇନଶୃଙ୍ଖଳା ଆଦି ପ୍ରସଙ୍ଗକୁ ମୁଖ୍ୟ ପ୍ରସଙ୍ଗ କରି ଶାସକ ଦଳକୁ ଘେରିବ ବିଜେଡି । ଓଡିଶାର ସ୍ୱାଧୀନତାକୁ କେନ୍ଦ୍ର ଅପହରଣ କରିଥିବାରୁ ଏ ପ୍ରସଙ୍ଗରେ ବିଜେପିକୁ ଘେରିବାକୁ ଦଳ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରାଯିବ ।
ତ୍ରୁଟିପୂର୍ଣ୍ଣ ପୁସ୍ତକ ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିକୁ ଆହୁରି ଶାଣିତ କରିଛି ଦଳ । ଆସନ୍ତାକାଲି ଅର୍ଥାତ ୨୨ ତାରିଖ ସୁଦ୍ଧା ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ବିଜେଡି ଡେଡଲାଇନ ଦେଇଛି । ଯଦି ମନ୍ତ୍ରୀ ଇସ୍ତଫା ନଦିଅନ୍ତି ତେବେ ଦଳୀୟ ବିଧାୟକ, ସାଂସଦଙ୍କୁ ନେଇ ଯୁବ ଓ ଛାତ୍ର ବିଜେଡି ୨୩ରେ ବିଧାନସଭା ଘେରାଉ କରିବାକୁ ଚେତାବନୀ ଦେଇଛି ।




