ମୋତେ ବଦନାମ କରିବାକୁ ଚେଷ୍ଟା କଲେ ହାଣିଦେଵି - ଜୁଏଲ ଓରାମ
ପାର୍ଟିକୁ ମୁଁ ରକ୍ତ ମାଂସ ଦେଇ ଗଢ଼ିଛି, ଏ ପାର୍ଟି ମୋତେ ଚିହ୍ନିଛି
ରାଉରକେଲା : ପଞ୍ଚମ ରେ ଜୁଏଲ ଓରାମଙ୍କ ରାଗ । ନାଁ ନ ନେଇ ବର୍ଷିଲେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ। ପ୍ରକାଶ ପାଶ୍ବାନ ଗିରଫ ପରେ ରାଉରକେଲା ରାଜନୀତିରେ ବଡ଼ ହଲଚଲ ଦେଖା ଦେଇଛି ।ଏହା ପଛରେ ଏକ ବଡ଼ ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି ଜୁଏଲ ଓରାମ । ବିଗତ କିଛି ଦିନର ଚର୍ଚ୍ଚା ଆଲୋଚନା ପରେ ନିଜର ନିରବତା ଭଙ୍ଗ କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ସବୁ ବେଳେ ଶାନ୍ତ ସ୍ୱଭାବର ଭାବମୂର୍ତ୍ତିରେ ରହୁଥିବା ଜୁଏଲ ଓରାମ ରଣ ହୁଙ୍କାର ଦେଇଛନ୍ତି । ଖୋଲା ଚ୍ୟାଲେଞ୍ଜ୍ ଦେଇ ସେ କହିଛନ୍ତି ମୋତେ ବଦନାମ କରିବାକୁ ଚେଷ୍ଟା କରାଯାଉଛି । ମୋ ପ୍ରତିଷ୍ଠା ବାବଦରେ ଯଦି କେହି ହାତ ଉଠାଇବ, ସେ ହାତକୁ କାଟିଦେବି। ମୋତେ ଯିଏ ଅପଦସ୍ଥ କରିବାକୁ ଚେଷ୍ଟା କରୁଛି, ତାକୁ ଜାଳି ଶେଷ କରିଦେବି।
ଜୁଏଲ ଖୋଲାଖୋଲି ଭାବେ କହିଛନ୍ତି ଯେ ଯିଏ ତାଙ୍କ ସମ୍ମାନରେ ହାତ ଲଗାଇବାକୁ ଚେଷ୍ଟା କରିବେ ତାଙ୍କ ହାତକୁ କାଟିକି ଫିଙ୍ଗି ଦେବାର ତାକତ ରଖିଛନ୍ତି । କିଛି ଲୋକ ପଇସାପତ୍ର ଖର୍ଚ୍ଚ କରି ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ଭାବୁଛନ୍ତି ଜୁଏଲ ଓରାମ ଡ୍ରପ୍ ହୋଇଗଲେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ, କିନ୍ତୁ ଏଇ ପାର୍ଟିକୁ ମୁଁ ରକ୍ତ ମାଂସ ଦେଇ ଗଢ଼ିଛି, ଏ ପାର୍ଟି ମୋତେ ଚିହ୍ନିଛି। ପାର୍ଟି ମୋତେ ଯେତିକି ସ୍ଥାନ ଦେଇଛି, ତାହା ଯଥେଷ୍ଟ। ମୋ ପ୍ରତିଷ୍ଠା ବାବଦରେ ଯଦି କେହି ହାତ ଉଠାଇବ, ସେ ହାତକୁ କାଟିଦେବି। ନିର୍ବାଚନ ଲଢ଼ିବିନି ବୋଲି କହିଥିଲି, ଏବେ କହୁଛି ଆଉଥରେ ନିର୍ବାଚନ ଲଢ଼ିବି।




