ମୂର୍ତ୍ତି ବିସର୍ଜନ ବେଳେ ୩ ଛାତ୍ରଙ୍କ ମୃତ୍ୟୁ
ଗଞ୍ଜାମ : ମୂର୍ତ୍ତି ଵିସର୍ଜନବେଳେ ଅଘଟଣ । ଗୋଟିଏ ଦିନରେ ୨ଟି ସ୍ଥାନରେ ପୋଖରୀ ରେ ବୁଡି ଯାଇ ୩ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ହିଞ୍ଜିଳିକାଟୁ ଘୋଡ଼ାହାଡ଼ ନଦୀରେ ବୁଡ଼ି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ନାବାଳକ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ନାବାଳକଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ ନାବାଳକ ମାନେ ହେଲେ ହିଞ୍ଜିଳି ଗଜପତି ମାର୍ଗର ୧୪ ବର୍ଷିୟ ଆଦର୍ଶ ସାହୁ ଏବଂ ହିଂଜିଳି ଗାୟତ୍ରୀ ନଗରର ପ୍ରୀତମ ସାମେଲି ବୋଲି ଜଣାପଡିଛି l ଘଟଣାରେ ଅନ୍ୟ ଦୁଇ ଗୁରୁତର ନାବାଳକକୁ ହିଞ୍ଜିଳି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ହିଞ୍ଜିଳି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଘଟନାନୁସାରେ, ସୋମବାର ଦିନ ଧୁମଧାମରେ ଶେଷ ହୋଇଛି ଗଣେଷ ପୂଜା । ଆଜି ମହାପ୍ରଭୁଙ୍କ ମୂର୍ତ୍ତି ବିସର୍ଜନ ବେଳେ ହଠାତ୍ ଦୁଇ ଜଣ ନାବାଳକ ଘୋଡ଼ାହାଡ ନଦୀରେ ବୁଡ଼ିଯାଇଥିଲା । ଯାହାକୁ ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲେ ଉଦ୍ଧାର କାର୍ଯ୍ୟ । ହେଲେ ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା ।ପାଣିରେ ବୁଡ଼ିବା ଲାଗି ଦୁଇ ନାବାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ନାବାଳକ ଗୁରୁତର ହୋଇଥିଲା । ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ତୁରନ୍ତ ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାରେ ପୋଲିସ ତଦନ୍ତ ଜାରି ରହିଛି ।
ସେପଟେ,ଦିଗପହଣ୍ଡି କୋଟିନଡା ପଂଚାୟତ ସିଦ୍ଧଖଣ୍ଡିରେ ଘଟିଛି ଆଉ ଏକ ଅଘଟଣ । ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବାବେଳେ ଜଣେ ୮ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ହେଉଛନ୍ତି ସିଦ୍ଧଖଣ୍ଡି ଗାଁର ମୋରମ ଜେନାଙ୍କ ପୁଅ ସୀତାଂଶୁ ଜେନା । ସଚେତନତା ଅଭାବରୁ ପ୍ରତିବର୍ଷ ଏହିଭଳି ଅଘଟଣାମାନ ଘଟୁଥିବା କୁହାଯାଉଛି ।




