ମା' ମାଣିକେଶ୍ବରୀଙ୍କ ପୀଠରେ ଲାଗି ହେଲା ନବାନ୍ନ

ମା' ମାଣିକେଶ୍ବରୀଙ୍କ ପୀଠରେ ଲାଗି ହେଲା ନବାନ୍ନ
Samaya Live News Picture
Published On

କଳାହାଣ୍ଡି : ଗଡ଼ଜାତରେ ଆଜି ନୂଆଁଖାଇ। କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କ ପୀଠରେ ନିର୍ଦ୍ଧାରିତ ଶୁଭ ଲଗ୍ନରେ ନବାନ୍ନ ଲାଗି ହୋଇଛି । ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ପର୍ବ ସରିଥିଲେ ମଧ୍ୟ କଳାହାଣ୍ଡି ଜିଲ୍ଲାରେ ଏବେ ବି ଜାରି ରହିଛି ଉତ୍ସବର ମାହୋଲ । କଳାହାଣ୍ଡିରେ ପ୍ରତିପଦାଠାରୁ ଆରମ୍ଭ କରି ଦଶହରା ଦଶମୀ ପର୍ୟ୍ୟନ୍ତ ପର୍ୟ୍ୟାୟକ୍ରମେ ନୂଆଁଖାଇ ପାଳନ କରାଯାଏ । ମା'ଙ୍କ ନବାନ୍ନ ପାଇଁ ବିଧି ମୁତାବକ ନାଗଝରି ଗାଁରୁ ନୂଆ ଧାନ ଅଣାଯାଇଥିଲା  ।

ପରମ୍ପରା ଅନୁଯାୟୀ ଆଜି ଭାଦ୍ରବ ଶୁକ୍ଳ ପକ୍ଷ ଦଶମୀ ତିଥିରେ ସକାଳ ୮ଟା ୨୦ ରୁ  ୯.୩୦ ମିନିଟ ମଧ୍ୟରେ ଏହି ପ୍ରସିଦ୍ଧ ନୂଆଁଖାଇ ପାଳନ କରାଯାଉଛି । ମାଣିକେଶ୍ୱରୀଙ୍କ ପୀଠରେ ନବାନ୍ନ ଲାଗି ହେବା ପରେ ଗଡ଼ଜାତ ଅଞ୍ଚଳବାସୀ ନୂଆ ଖାଇବେ । ଏହାକୁ ନେଇ ସମଗ୍ର ଅଞ୍ଚଳରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଛି । 

ମା’ଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ କଳାହାଣ୍ଡିର ପ୍ରମୁଖ ଗଡ଼ଜାତ ଅଞ୍ଚଳ ଭାବେ ପରିଚିତ ଲାଞ୍ଜିଗଡ଼, ଜୟପାଟଣା, ଭବାନୀପାଟଣା, ମଦନପୁର-ରାମପୁର ଏବଂ ମା’ଙ୍କ ଆଦିପୀଠ ଥୁଆମୂଳ ରାମପୁରରେ ଆସନ୍ତାକାଲି ଧୁମଧାମରେ ପାଳିତ ହେବ ନୂଆଁଖାଇ । ମା’ଙ୍କ ପୀଠରୁ ନୂଆ ଭୋଗ ଆଣି ନିଜ ଇଷ୍ଟ ଦେବୀଙ୍କ ନିକଟରେ ଅର୍ପଣ କରିବା ପରେ ସପରିବାର ଏକାଠି ବସି ନୂଆ ଖାଇବେ ଅଞ୍ଚଳବାସୀ । ଏଥିପାଇଁ ଗାଁଠୁ ସହର ସବୁଠି ଖିରି, ପୁରୀ, ପିଠାପଣାର ଆୟୋଜନ ସହ ଜୁହାର ଭେଟ ଓ ନାଚଗୀତ ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଅନ୍ୟପଟେ କଳାହାଣ୍ଡିର ରାଜପରିବାର ଓ ଜମିଦାର ପରିବାରଗୁଡ଼ିକ ଆଗାମୀ ବିଜୟା ଦଶମୀରେ ନୂଆଁଖାଇ ପାଳନ କରିବାର ପରମ୍ପରା ରହିଛି ।

Tags: