ବିପଦ ସଙ୍କେତ ଛୁଇଁଲା ଜଳକା
ବାଲେଶ୍ୱର : ରାଜ୍ୟକୁ ପୁଣି ବନ୍ୟା ଭୟ । ଉତ୍ତର ଓଡିଶା ଉପକୂଳ ପାର୍ଶ୍ଵବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳ ନିକଟରେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାର ସମ୍ଭାବନା ଥିବାବେଳେ ବିପଦ ସଙ୍କେତ ଛୁଇଁଛି ଜଳକା । କ୍ରମଶଃ ବୃଦ୍ଧି ପାଉଛି ଜଳକା ନଦୀର ଜଳସ୍ତର, ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ ଠାରେ ବିପଦ ସଙ୍କେତ ୬ .୫୦ ମିଟର ରହିଥିବା ବେଳେ ସକାଳ ୧୦ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬ .୫୪ ମିଟରରେ ପ୍ରବାହିତ ହେଉଛି । ସେହିପରି ଭଦ୍ରକ ଜିଲ୍ଲା ସାଳନ୍ଦୀ ର ମଧ୍ୟ ଜଳସ୍ତର ବଢିଛି ।
ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଗତ ଦୁଇଦିନ ଧରି ବାଲେଶ୍ବର ସମେତ ଜଳକା ନଦୀର ଉପର ମୁଣ୍ଡରେ ପଡୋଶୀ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି। ଜଳକା ନଦୀର ଉପର ମୁଣ୍ଡ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ କ୍ରମଶଃ ବୃଦ୍ଧି ପାଉଛି ନଦୀର ଜଳସ୍ତର, ବର୍ଷା ଲାଗି ରହିଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି । ଯଦି ବନ୍ୟା ହୁଏ ତାହାଲେ ବସ୍ତା ବ୍ଲକର ୫ ଏବଂ ସଦର ବ୍ଲକ ର ୨ଟି ପଞ୍ଚାୟତ ପ୍ରଭାବିତ ହେବା ସହ ଚାଷଜମି କ୍ଷତିଗ୍ରସ୍ତ ହେବାର ଆଶଙ୍କା କରାଯାଉଛି ।




