ପୋଲିସ ଚାଷୀ -ଧସ୍ତା ଧସ୍ତି
ନବରଙ୍ଗପୁରରେ ୪ଟି ବ୍ଲକରେ ଚକ ଓ ଅଖ ଠପ୍
ବରଗଡ଼ : ସାରା ରାଜ୍ୟରେ ତୀବ୍ର ହେଉଛି ମଣ୍ଡି ସମସ୍ୟା I ଏହାକୁ ନେଇ କେଉଁଠି କେଉଁଠି ଜୋର ଧରିଲାଣି ଚାଷୀ ଆନ୍ଦୋଳନ I ଧାନ ବିକ୍ରି ସମସ୍ୟାକୁ ନେଇ ଆଜି ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ ଆନ୍ଦୋଳନକାରୀ । ତେବେ ପୋଲିସ ଏହାକୁ ଅଟକାଇବାରୁ ସେଠାରେ କିଛି ସମୟ ପାଇଁ ଚାଷୀ ଏବଂ ପୋଲିସ ମୁହାଁମୁହିଁ ହୋଇ ଧସ୍ତା ଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା I ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଜୟ କିଷାନ ଆନ୍ଦୋଳନ ସଂଗଠନ । ଜମି ତୁଳନାରେ ଟୋକନ ପରିମାଣ କମ ଆସିବା ସହ କଟନୀ ଛଟନୀ ଓ ଧାନ ଉଠୁନଥିବା ଅଭିଯୋଗ ହୋଇଛି । ସରକାର ଧ୍ୟାନ ଦେବା ପାଇଁ ପ୍ରଶାସନକୁ ଅନୁରୋଧ କରାଯାଇଛି । ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ସେପଟେ,ନବରଙ୍ଗପୁରରୁ ମଧ୍ୟ ଆସିଛି ସମାନ ଚିତ୍ର । ଜିଲ୍ଲାରେ ଦ୍ବିତୀୟ ଦିନରେ ପହଂଚିଛି ଚାଷୀ ଆନ୍ଦୋଳନ । ୪ଟି ବ୍ଲକରେ ଠପ୍ ହୋଇଯାଇଛି ଚକ ଓ ଅଖ । ଗୁରୁତର ପ୍ରଭାବ ପଡିଛି ସାଧାରଣ ପରିବହନ ସେବା ଉପରେ । ଦୂରଗାମୀ ବସ ଗୁଡ଼ି ଉମରକୋଟ ବ୍ଲକ ସୀମାରେ ପହଞ୍ଚିବା ପରେ ରାସ୍ତା ଅବରୋଧ ଯୋଗୁ ଆଗକୁ ଯାଇପାରୁନାହିଁ । ସହର ଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଯାତ୍ରୀଙ୍କୁ ଓହ୍ଲାଇ ଦେଉଛି ବସ୍ । ସେଠାରୁ କୌଣସି ପରିବହନ ସେବା ନଥିବା ଯୋଗୁଁ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ । ରାସ୍ତା ରୋକ ଯୋଗୁ ଉଭୟ ପାର୍ଶ୍ବରେ ଅଟକି ରହିଛି ଶହ ଶହ ଗାଡ଼ି ।




