ପଦ୍ମ ଧରିଲେ ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ
ଭୁବନେଶ୍ୱର : ବିଜେପିରେ ମିଶିଲେ ପୂର୍ବତନ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ଆଜି ଆନୁଷ୍ଠାନିକ ଭାବେ ନୂଆଦିଲ୍ଲୀ ଠାରେ ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟାଳୟରେ ଯୋଗ ଦେଇଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି । ଗତକାଲି ସେ ବିଜେଡି ଓ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ ।
ସୂଚନାନୁଯାୟୀ, ଗତକାଲି ଅଚାନକ ଭାବରେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ । ଚିଠି ମାଧ୍ୟମରେ ଇସ୍ତଫା ଦେବା ସହ ରାଜ୍ୟସଭାକୁ ମନୋନୀତ କରିଥିବାରୁ ନବୀନଙ୍କ ନିକଟରେ ଋଣୀ ରହିବେ ବୋଲି ଉଲ୍ଲେଖ କରିଥିଲେ । ଏହାସହ ଅବିଭକ୍ତ କଟକ ଜିଲ୍ଲାର ଲୋକଙ୍କ ସେବା କରିବା ଓ ଜାତୀୟ ସ୍ତରରେ ଓଡ଼ିଶାର ସମସ୍ୟା ଉଠାଇବା ପାଇଁ ସୁଯୋଗ ଦେଇଥିବାରୁ ନବୀନଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ । ତେବେ ଦଳ ଛାଡ଼ିବା ପରେ ବିଜେଡି ଉପରେ ନିର୍ଦ୍ଧୁମ୍ ବର୍ଷିଥିଲେ ଦେବାଶିଷ । ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି କଠିନ ନିଷ୍ପତ୍ତି ନେଇଛି ବୋଲି କହିଥିଲେ । ତାଙ୍କୁ ଅପମାନିତ କରାଯାଉଥିବା ଏବଂ ଦଳରେ ତାଙ୍କର ଆବଶ୍ୟକତା ନଥିବା କଥା ଉଲ୍ଲେଖ କରି କରିଥିଲେ ।



