ପଞ୍ଚମଶ୍ରେଣୀ ଯାଏଁ ମାତୃଭାଷାରେ ଶିକ୍ଷାଦାନ ବାଧ୍ୟତା ମୂଳକ - କେନ୍ଦ୍ର ଶିକ୍ଷାମନ୍ତ୍ରୀ
ଜାତୀୟ ଶିକ୍ଷା ନୀତି-୨୦୨୦ ଅଧୀନରେ ୫୫ଟି ନୂତନ ଏନ୍ସିଇଆରଟି ପାଠ୍ୟପୁସ୍ତକକୁ ଅନୁବାଦ
ଭୁବନେଶ୍ୱର : ୨୦୨୬-୨୭ ଶିକ୍ଷା ବର୍ଷ ପାଇଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରାଯିବ । ଓଡ଼ିଶା ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା(ଓଏସ୍ସିଏଫ୍) ଉପରେ ଆଧାରିତ ହେବ । ରାଜ୍ୟର ୧ଲକ୍ଷ ୬୭ ହଜାର ଶିକ୍ଷକଙ୍କୁ ନୂତନ ପାଠ୍ୟକ୍ରମର ଦକ୍ଷ କରିବା ପାଇଁ ପ୍ରଶିକ୍ଷଣ ଦିଆଯିବ । ଏହା ସହ ପଞ୍ଚମଶ୍ରେଣୀ ଯାଏଁ ମାତୃଭାଷାରେ ଶିକ୍ଷାଦାନକୁ ବାଧ୍ୟତା ମୂଳକ କରାଯିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏହାଦ୍ୱାରା ପିଲାଙ୍କ ମୌଳିକ ଶିକ୍ଷା ମୂଳଦୁଆ ଶକ୍ତ ହେବ ବୋଲି କହିଛନ୍ତି ।
ସେହିପରି ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ଛାତ୍ରଛାତ୍ରୀଙ୍କ ପାଇଁ ୧୦ ଦିନିଆ ବ୍ୟାଗ୍ ମୁକ୍ତ ଶିକ୍ଷାଦାନ ବ୍ୟବସ୍ଥା କରାଯିବ । ଏହାଦ୍ୱାରା ସେମାନେ ବ୍ୟବହାରିକ ଜ୍ଞାନ ଓ ସମାଲୋଚନାତ୍ମକ ଚିନ୍ତାଧାର ଶିଖିପାରିବେ । ଜନ୍ମଠୁ ଦ୍ୱାଦଶ ଶ୍ରେଣୀ ଯାଏ ଶିଶୁଙ୍କ ପୋଷଣ ଓ ସ୍ୱାସ୍ଥ୍ୟ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ । ଏଥିସହ ପ୍ରାଥମିକ ସ୍ତରରେ ପିଲାଙ୍କ ପଢ଼ିବା, ଲେଖିବା ଓ ସଂଖ୍ୟାଜ୍ଞାନର ଦକ୍ଷତା ବୃଦ୍ଧି ପାଇଁ ନିପୁଣ ଓଡ଼ିଶା ଲକ୍ଷ୍ୟ ହାସଲ କରାଯିବ । ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଶିକ୍ଷା ନୀତି ଜରିଆରେ ରାଜ୍ୟର ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଅଣାଯିବ ।
ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ, ଜାତୀୟ ଶିକ୍ଷା ନୀତି-୨୦୨୦ ଅଧୀନରେ ୫୫ଟି ନୂତନ ଏନ୍ସିଇଆରଟି ପାଠ୍ୟପୁସ୍ତକକୁ ଅନୁବାଦ କରାଯାଇଛି। ଏଥିସହ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବାକୁ ଓଡ଼ିଶାର ୩ଟି ନୂତନ ବିଷୟ ଯଥା କଳା ଶିକ୍ଷା, ଶାରୀରିକ ଶିକ୍ଷା ଓ ସୁସ୍ଥତା ଏବଂ ଧନ୍ଦାମୂଳକ ଶିକ୍ଷାରେ ପାଠ୍ୟପୁସ୍ତକ ପ୍ରଚଳନ ହେଉଛି । ଏହି ବୈଠକରେ ୩୦ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ, ସମସ୍ତ ଜିଲ୍ଲା ଡାଏଟ୍, କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷମାନେ ଆଭାସୀ ମାଧ୍ୟମରେ ବୈଠକରେ ସାମିଲ ହୋଇଥିଲେ।



