ନଭେମ୍ବର ୨୪ ରୁ ଐତିହାସିକ ବାଲିଯାତ୍ରା,ଉଭୟ ଉପର ଓ ତଳ ପଡିଆରେ ହେବ ଆୟୋଜନ
କଟକ : ନଭେମ୍ବର ୨୪ ତାରିଖରୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା । ଡିସେମ୍ବର ୧ ତାରିଖ ଯାଏଁ ଚାଲିବ ମେଳା । ଚଳିତ ବର୍ଷ ଉଭୟ ଉପର ଓ ତଳ ପଡିଆରେ ଆୟୋଜନ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ଦିଆଯାଇଛି । ତାହା ସହ ମହୋତ୍ସବକୁ ଅଧିକ ଆକର୍ଷଣୀୟ ଓ ଲୋକାଭିମୁଖୀ କରିବା ଲାଗି ବିଭିନ୍ନ ପଦକ୍ଷେପ ନିଆଯିବ। ଏ ନେଇ ଚୂଡାନ୍ତ ନିଷ୍ପତ୍ତି ନେବେ ରାଜ୍ୟ ସରକାର । ଯଦି ରାଜ୍ୟ ସରକାର ଚାହିଁବେ ତେବେ ଯାତ୍ରାର ଅବଧି ବୃଦ୍ଧି କରାଯିବ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ବାଲିଯାତ୍ରାର ସାଂସ୍କୃତିକ ସନ୍ଧ୍ୟାରେ ବଲିଉଡ୍ ଓ ଓଲିଉଡର ନାମୀ କଳାକାରମାନଙ୍କୁ ନିମନ୍ତ୍ରଣ କରାଯିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏଥର ବାଲିଯାତ୍ରାରେ ପୁରୁଣା ଦୋଳିକୁ ବ୍ୟାନ କରାଯିବ। ଟ୍ରାଫିକ ନିୟନ୍ତ୍ରଣ ପାଇଁ ଚହଟା ରୋଡର ଗୋଟିଏ ପାର୍ଶ୍ୱକୁ ସମ୍ପୂର୍ଣ୍ଣ ପାର୍କିଂ ଭାବେ ବ୍ୟବହାର କରିବାକୁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଛି । ପ୍ରତିଦିନ ମହାନଦୀରେ ୱାଟର ସ୍ପୋର୍ଟସ୍, ବୋଟ୍ ରେସ୍ ଓ ଅତିରିକ୍ତ ୱାଟର ଆକ୍ଟିଭିଟି କରାଯିବ। ଦିନରେ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତିଦିନ ସ୍ୟାଣ୍ଡ ଆର୍ଟ କରାଯିବ । ମହାନଦୀ ପେଣ୍ଟିଂ ଓ ଫ୍ଲାୱାର ଶୋ ଆଦିର ମଧ୍ୟ ଆୟୋଜନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଦର୍ଶକଙ୍କ ସୁରକ୍ଷା ପାଇଁ ଗ୍ରୀନ କରିଡର ହେବ । ଅତିକମରେ ୧୫ ରାଜ୍ୟରୁ ଆସିବେ କଳାକାର ।




