ଦିଘା ମୁହାଣରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଇଲିସି
ଜଳେଶ୍ବର : ଚାକିରୀ କରିବ ପୁଲିସି..ମାଛ ଖାଇବ ଇଲିସି । ପ୍ରକୃତରେ ମାଛ ଭିତରେ ରାଜା ହେଉଛି ଇଲିସି । ଇଲିସି ଭଜା ବାସ୍ନାରେ ଖଣ୍ଡ ମଣ୍ଡଳ ମହାକୁଥିବାବେଳେ ବର୍ଷା ଆରମ୍ଭ ବେଳକୁ ସମୁଦ୍ରରେ ଉଠିଥାନ୍ତି । ଉପରେ ମୁଣ୍ଡରେ ଯେତେ ବର୍ଷାର ପରିମାଣ ଅଧିକ ହେବ ମିଠା ପାଣି ଖାଇବାକୁ କୂଳକୁ ପ୍ରଚୁର ମାତ୍ରାରେ ଆସନ୍ତି ଇଲିସି ମାଛ । ବର୍ତ୍ତମାନ ଦିଘା ମୁହାଣରେ ମହଣ ମହଣ ଇଲିସି ଦେଖି ମତ୍ସ୍ୟଜୀବୀଙ୍କ ମୁହଁ ରେ ଫୁଟିଛି ହସ । ମାଛ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । ବାଲେଶ୍ୱର ସୀମାନ୍ତ ଦୀଘା ମୁହାଣରେ ଦେଖିବାକୁ ମିଳିଛି ଏପରି କିଛି ଚିତ୍ର ।
ଦୀର୍ଘ ଦିନ ପରେ ଏତେ ପରିମାଣର ଇଲିଶି ମାଛ ଧରା ପଡ଼ିଥିବାରୁ ଟ୍ରଲର ମାଲିକ, ମତ୍ସ୍ୟଜୀବୀ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି । ଦୀଘା ମତ୍ସ୍ୟ ଅବତରଣ କେନ୍ଦ୍ରରେ ୩୦ ଟନ୍ ରୁ ଅଧିକ ଇଲିଶି ମାଛ ଆମଦାନୀ ହୋଇଥିବା ଜଣାପଡ଼ିଛି । ବଜାରରେ ମାଛର ଆକାର ଓ ଓଜନ ଅନୁସାରେ ପ୍ରତି କିଲୋଗ୍ରାମ୍ ଇଲିଶିର ଦାମ ୬ ଶହରୁ ୧୩ ଶହଟଙ୍କା ପର୍ଯ୍ୟନ୍ତ ରହିଛି । ବଡ଼ ଆକାରର ଇଲିଶି ପାଇଁ ବ୍ୟବସାୟୀଙ୍କ ମଧ୍ୟରେ ଅଧିକ ଚାହିଦା ଦେଖାଯାଇଛି । ଏହି ବ୍ୟାପକ ଆମଦାନୀ ଫଳରେ ସ୍ଥାନୀୟ ବଜାର ସହ ଓଡ଼ିଶା ଏବଂ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନକୁ ଇଲିଶି ଯୋଗାଣ ଆରମ୍ଭ ହୋଇଛି ।
ବିଶେଷକରି ନଦୀ ମୁହାଣରେ ମିଠା ପାଣି ସହ ସମୁଦ୍ରର ଲୁଣିଆ ପାଣି ମିଶୁଥିବା ସ୍ଥାନକୁ ଇଲିଶି ଅଣ୍ଡା ଦେବା ପାଇଁ ଆସୁଥିବାରୁ ଏହି ସମୟରେ ବହୁ ପରିମାଣର ମାଛ ଜାଲରେ ଧରାପଡ଼ୁଛି । ମତ୍ସ୍ୟଜୀବୀ ମାନେ ମଧ୍ୟ ଏହାକୁ ଚଳିତ ଋତୁର ସବୁଠାରୁ ଭଲ ଧରଣ ମାଛ ଆମଦାନୀ ବୋଲି କହିଛନ୍ତି । ପାଗ ଏଭଳି ଅନୁକୂଳ ରହିଲେ ଆଗାମୀ କିଛି ଦିନ ମଧ୍ୟରେ ଆହୁରି ଅଧିକ ପରିମାଣର ଇଲିଶି ଧରାପଡ଼ିବ ବୋଲି ସେମାନେ ଆଶା କରିଛନ୍ତି । ଦୀର୍ଘ ଦିନ ପରେ ବଜାରରେ ପ୍ରଚୁର ପରିମାଣରେ ଇଲିଶି ମିଳୁଥିବାରୁ ଘରେ ଘରେ ଇଲିଶିର ସ୍ୱାଦ ଚାଖିବାକୁ ଲୋକେ ଅପେକ୍ଷା କରିଛନ୍ତି ।




