ଦଳା ଚକଟାରୁ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଦଳା ଚକଟାରୁ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
Samaya Live News Picture
Published On

ପୁରୀ : ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ବଡ଼ଦାଣ୍ଡର ମରୀଚିକୋଟ ଛକରେ ଦଳା ଚକଟା ହୋଇ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା । ସେଥିରୁ ଦୁଇଜଣଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ରବିବାର ପୁଲିସର ହସ୍ତଗତ ହୋଇଛି । ମୃତକଙ୍କ ଛାତି ପଞ୍ଜରା ହାଡ଼ଗୁଡ଼ିକ ଭାଙ୍ଗି ଯାଇଥିବା ରିପୋର୍ଟରେ ଡାକ୍ତର ଉଲ୍ଲେଖ କରିଛନ୍ତି । ତେଣୁ, ଦଳାଚକଟା ଯୋଗୁଁ ସେମାନଙ୍କ ମୃତ୍ୟୁ ହୋଇଥିବା ସେଥିରୁ ସ୍ପଷ୍ଟ ହୋଇଛି ।

ମୃତକଙ୍କ ମଧ୍ୟରୁ ଜଣଙ୍କର ନିଶ୍ବାସ ନେବାରେ କଷ୍ଟ ଯୋଗୁଁ ଏବଂ ଅନ୍ୟଜଣଙ୍କର ହୃଦ୍‌ଘାତ ଯୋଗୁଁ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗଣମାଧ୍ୟମକୁ କହିଥିଲେ । ପ୍ରବଳ ଭିଡ଼ ଭିତରେ ବହୁଭକ୍ତ ତଳେ ପଡ଼ିଯାଇଥିବା ବେଳେ ଆଉ କେତେକ ସେମାନଙ୍କ ଉପରେ ଚଢ଼ି ଯାଇଥିଲେ । ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଥିରୁ ୩ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଶତାଧିକ ଭକ୍ତ ଆହତ ହୋଇଥିଲେ। ଏହି ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ନିର୍ଦେଶ ଦେଇ ନାହାନ୍ତି କିମ୍ବା ମୃତକଙ୍କ ପରିବାର ପାଇଁ କ୍ଷତିପୂରଣ ଘୋଷଣା କରାଯାଇନାହିଁ ।

ଚଳିତବର୍ଷ ରଥଯାତ୍ରାରେ ଜନଗହଳିକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ରାଜ୍ୟର ୨୩ ଆଇପିଏସ୍‌ ଅଧିକାରୀଙ୍କୁ ତଦାରଖ ଦାୟିତ୍ବ ଦିଆଯାଇଥିଲା । ତ୍ରୁଟିଶୂନ୍ୟ ରଥଯାତ୍ରା ପାଇଁ ୭ମାସ ତଳୁ ଆରମ୍ଭ ହୋଇଥିଲା ପ୍ରଶାସନିକ ପ୍ରସ୍ତୁତି। କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଏସବୁ ସତ୍ତ୍ବେ ଶ୍ରୀଗୁଣ୍ଡିଚା ଯାତ୍ରାରେ ଦଳାଚକଟା ଘଟଣାର ପୁନରାବୃତ୍ତି ହୋଇଥିଲା। ଏତେବଡ଼ ଘଟଣାର ତୁରନ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ଜଗନ୍ନାଥଙ୍କ ଇଚ୍ଛା ବୋଲି କହି ମିଳିମିଶି ଚପାଇ ଦେବାକୁ ସରକାରୀ ସ୍ତରରେ ଉଦ୍ୟମ ଚାଲିଥିବା ଅଭିଯୋଗ ହୋଇଛି। ରବିବାର ମିଳିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟ ଦଳାଚକଟା

ଘଟଣାକୁ ପ୍ରମାଣିତ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ କାହା ଅବହେଳାରୁ ବଡ଼ଦାଣ୍ଡରେ ଦଳାଚକଟା ହୋଇ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ୩ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା, ତାହାର ତଦନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି।

Tags: