ଡିସେମ୍ବର ୨୨ରୁ +୨ ଦ୍ବିତୀୟ ବର୍ଷ ପିଲାଙ୍କ ପାଇଁ ଇଣ୍ଟରନାଲ ଆସେସ୍‌ମେଣ୍ଟ ପରୀକ୍ଷା

ଡିସେମ୍ବର ୨୨ରୁ +୨  ଦ୍ବିତୀୟ ବର୍ଷ ପିଲାଙ୍କ ପାଇଁ ଇଣ୍ଟରନାଲ ଆସେସ୍‌ମେଣ୍ଟ ପରୀକ୍ଷା
Samaya Live News Picture
Published On

ଭୁବନେଶ୍ବର: ଯୁକ୍ତଦୁଇ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଡିସେମ୍ବର ୨୨ରୁ ଇଣ୍ଟରନାଲ ଆସେସ୍‌ମେଣ୍ଟ/ପ୍ରୋଜେକ୍ଟ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି I ଏହା ଡିସେମ୍ବର ୨୨ରୁ ୩୧ ମଧ୍ୟରେ ଅନୁଷ୍ଠିତ ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ସମସ୍ତ ପଞ୍ଜିକୃତ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଏହା ବାଧ୍ୟତାମୂଳକ। କେବଳ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ଇଣ୍ଟରନାଲ ଆସେସ୍‌ମେଣ୍ଟ/ପ୍ରୋଜେକ୍ଟ ପରୀକ୍ଷା କରାଯିବ। ଜଣେ ରେଗୁଲାର ପ୍ରାର୍ଥୀଙ୍କୁ ସମସ୍ତ ଇଣ୍ଟରନାଲ ଏବଂ ପ୍ରୋଜେକ୍ଟ କମ୍ପୋନେଣ୍ଟରେ ଉତ୍ତୀର୍ଣ୍ଣ ହେବାକୁ ୨୦ରୁ ଅତିକମ୍‌ରେ ୬ ମାର୍କ ଏବଂ ୧୦ରୁ ସର୍ବନିମ୍ନ ୩ ମାର୍କ ରଖିବାକୁ ପଡ଼ିବ। କୌଣସି ଛାତ୍ରଛାତ୍ରୀଙ୍କୁ ଇଣ୍ଟରନାଲ ମୂଲ୍ୟାୟନ କିମ୍ବା ପ୍ରୋଜେକ୍ଟ ଦାଖଲରୁ ବାଦ୍ ଦିଆଯିବ ନାହିଁ।

ଯଦି କୌଣସି ଛାତ୍ରଛାତ୍ରୀ ଇଣ୍ଟରନାଲ ଆସେସ୍‌ମେଣ୍ଟ/ପ୍ରୋଜେକ୍ଟ ପରୀକ୍ଷାରେ ଅନୁପସ୍ଥିତ ରୁହନ୍ତି ତେବେ ତାଙ୍କୁ ଅକୃତକାର୍ଯ୍ୟ (ଫେଲ୍) ଘୋଷଣା କରାଯିବ। ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ କୌଣସି ପ୍ରକାର ଇଣ୍ଟରନାଲ ପରୀକ୍ଷା ହେବନି। ଦ୍ବାଦଶ ଛାତ୍ରଛାତ୍ରୀଙ୍କ ଇଣ୍ଟରନାଲ ଆସେସ୍‌ମେଣ୍ଟ/ପ୍ରୋଜେକ୍ଟ ପରୀକ୍ଷା ପାଇଁ ସିଏଚ୍‌ଏସ୍‌ଇ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକାରେ ଏହା ଉଲ୍ଲେଖ ରହିଛି।

ମାର୍ଗଦର୍ଶିକା ଅନୁଯାୟୀ, ଇଣ୍ଟରନାଲ ଆସେସ୍‌ମେଣ୍ଟ/ପ୍ରୋଜେକ୍ଟ ପରୀକ୍ଷା ପାଇଁ କମ୍ପ୍ୟୁଟରୀକୃତ ମାର୍କିଂ ବ୍ୟବସ୍ଥା ରହିବନି। ଇଣ୍ଟରନାଲ ଆସେସ୍‌ମେଣ୍ଟ ମାର୍କ ଏବଂ ଦ୍ବାଦଶ ଉତ୍ତରଖାତା ଫଳ ଘୋଷଣା ପରେ ୬ ମାସ ସଂରକ୍ଷିତ ରହିବ। ଡିସେମ୍ବର ୨୨ରୁ ୩୧ ମଧ୍ୟରେ ଯଦି କୌଣସି ରେଗୁଲାର ପରୀକ୍ଷାର୍ଥୀ ନିର୍ଦିଷ୍ଟ କାରଣ ପାଇଁ ଇଣ୍ଟରନାଲ/ପ୍ରୋଜେକ୍ଟ ପରୀକ୍ଷା ଦେଇନପାରନ୍ତି, ଜାନୁଆରୀ ୧୦ରୁ ୧୫ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟରେ ସୁଯୋଗ ଦିଆଯିବ। ଅନୁପସ୍ଥିତ ରହିଲେ ଫେଲ୍‌ ଘୋଷଣା କରାଯିବ।

Tags: