ଠିକ ସମୟରେ ସମ୍ପତ୍ତି ତଥ୍ୟ ଦେବାକୁ ଆଇଏଏସ ଅଧିକାରୀଙ୍କୁ ନିର୍ଦେଶ
ଭୁବନେଶ୍ୱର : ସମ୍ପତ୍ତି ତାଲିକା ଦେବାକୁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦେଶ । ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀଙ୍କୁ ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ନହେଲେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପଦୋନ୍ନତି ରୋକାଯିବ । ଠିକ ସମୟରେ ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ ନକଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ ପଦୋନ୍ନତି ବନ୍ଦ କରି ଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ଜାନୁଆରୀ ୩୧, ୨୦୨୬ ସୁଦ୍ଧା SPARROW ପୋର୍ଟାଲରେ ସେମାନଙ୍କର ସମ୍ପତ୍ତି ତଥ୍ୟ ଦାଖଲ କରିବେ I ଠିକ ସମୟରେ ସମ୍ପତ୍ତି ତାଲିକା ଦେଉନଥିବା ବାବୁଙ୍କ ଦରମା ମଧ୍ୟ ବୃଦ୍ଧି ହେବ ନାହିଁ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯାଇଛି ।
ଭାରତୀୟ ପ୍ରଶାସନିକ ସେବା ନିୟମ ଅନୁସାରେ ପ୍ରତିବର୍ଷ ଜାନୁଆରୀ ୩୧ ମଧ୍ୟରେ ସମସ୍ତ IAS ଅଧିକାରୀ ସେମାନଙ୍କ ସମ୍ପତ୍ତି ତାଲିକା ଦାଖଲ କରିବେ । ୨୦୨୫ ବର୍ଷ ପାଇଁ ବାର୍ଷିକ ସମ୍ପତ୍ତି ତଥ୍ୟ ଦାଖଲ ଲାଗି SPARROW ପୋର୍ଟାଲ୍ ୨୦୨୬ ଜାନୁଆରୀ ୩୧ ପର୍ଯ୍ୟନ୍ତ ଖୋଲା ରହିବ । ଏହି ଅବଧି ଭିତରେ ସମସ୍ତ IAS ସେମାନଙ୍କର ସମ୍ପତ୍ତି ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଯେଉଁମାନେ ଏଥିରେ ବିଫଳ ହେବେ ତାହାକୁ ଗୁରୁତର ଭୁଲ୍ ଭାବେ ବିବେଚନା କରାଯିବ ବୋଲି କାର୍ମିକ ଓ ପ୍ରଶିକ୍ଷଣ ନ୍ତ୍ରଣାଳୟ କହିଛି ।
ଅଧିକାରୀ ଚାହିଁଲେ ଅନଲାଇନ୍ରେ ତଥ୍ୟ ଭରି ପାରିବେ ଅଥିବା ନିଜେ ପୂରଣ କରି ସ୍କାନ୍ କପିକୁ ଅପଲୋଡ୍ କରିପାରିବେ । କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ମନ୍ତ୍ରଣାଳୟ ଅନୁସାରେ, ବିଗତ କିଛି ବର୍ଷ ହେବ IASଙ୍କ ସମ୍ପତ୍ତି ତାଲିକା ଦାଖଲ ସନ୍ତୋଷଜନକ ରହିଛି ।
SPARROW ପୋର୍ଟାଲର ତଥ୍ୟ ଅନୁସାରେ, ଓଡ଼ିଶା କ୍ୟାଡ୍ର ୧୮ ଜଣ IAS ଜାନୁଆରୀ ୨୦୨୪ ସୁଦ୍ଧା ସେମାନଙ୍କ ସମ୍ପତ୍ତି ତାଲିକା ଦାଖଲ କରି ନଥିଲେ । ସେହିଭଳି ୨୦୨୫ ଜାନୁଆରୀ ସୁଦ୍ଧା ୪ ଜଣ ଓଡ଼ିଶା କ୍ୟାଡର୍ IAS ଅଧିକାରୀ ଦେଇ ନାହାନ୍ତି ବାର୍ଷିକ ସମ୍ପତ୍ତି ତାଲିକା ।



