ଚାଷୀ ଆନ୍ଦୋଳନ ପାଇଁ ବିରୋଧୀ ଦାୟୀ - ମନ୍ତ୍ରୀ
ଭୁବନେଶ୍ୱର : ଚାଷୀ ଆନ୍ଦୋଳନକୁ ନେଇ ବିରୋଧୀଙ୍କୁ ଦାୟୀ କଲେ ସମବାୟ ମନ୍ତ୍ରୀ I ସେ କହିଛନ୍ତି ସେମିତି କୌଣସି ଜାଗାରେ ବଡ଼ ଆନ୍ଦୋଳନ ନାହିଁ । ବିରୋଧୀ ତିଳ କୁ ତାଳ କରୁଛନ୍ତି । ଜିଲ୍ଲାପାଳ ଓ ଅଧିକାରୀଙ୍କ ସହ କଥା ହୋଇ ମନିଟରିଂ କରାଯାଉଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭ଟି ଜିଲ୍ଲାରେ ମଣ୍ଡି ଖୋଲିଛି । ବରଗଡ଼ରେ ୬୪ହାଜର ୯୧୩ ମେଟ୍ରିକ ଟନ ଆସିଥିବାବେଳେ ସେଥିମଧ୍ୟରୁ ୬୪ ହାଜର ୬୫୨ ମେଟ୍ରିକ ଟନ ଧାନ ଉଠା ଯାଇଛି । ବଲାଙ୍ଗୀରରୁ ୧୬୦ ମେଟ୍ରିକ ଟନ ଆସିଥିଲା ସେଥି ମଧ୍ୟରୁ ୧୫୭ ମେଟ୍ରିକ ଟନ ଧାନ ଉଠା ଯାଇଛି । କଳାହାଣ୍ଡିରୁ ୧୧ ହଜାର ୫୪୨ ମେଟ୍ରିକ ଟନ ଧାନ ଆସିଥିବାବେଳେ ୧୧ ହଜାର ୪୮୬ ମେଟ୍ରିକ ଟନ ଧାନ ଉଠା ଯାଇଛି । ନୂଆପଡାରେ ୭ ହଜାର ୭୯୮ ମେଟ୍ରିକ ଟନ ଧାନ ଆସିଥିବା ବେଳେ ସେଥିରୁ ୭ ହଜାର ୭୨୭ ମେଟ୍ରିକ ଟନ ଧାନ ଉଠି ଯାଇଛି । ସମ୍ବଲପୁର ୬୯ ହଜାର ୯୮୮ ମେଟ୍ରିକ ଟନ ଆସିଥିବା ବେଳେ ୬୯ ହଜାର ୯୭୦ ମେଟ୍ରିକ ଟନ ଧାନ ଉଠି ଯାଇଛି । ସୋନପୁର ରୁ ୩୭ ମେଟ୍ରିକ ଟନ ଓ ସୁନ୍ଦରଗଡ ରୁ ୧୧ ମେଟ୍ରିକ ଟନ ଧାନ ଆସିଥିବା ବେଳେ ସବୁ ଧାନ ଉଠି ଯାଇଛି । କିଛି ସ୍ଥାନରେ ଟୋକନ ପହଁଚିନଥିବାରୁ ଆନ୍ଦୋଳନ ହେଉଛି କିନ୍ତୁ ଆମେ ନିର୍ଦ୍ଦେଶ ଦେଇଛୁ ଟୋକନ ପହଞ୍ଚାଇବା ସହ ସବୁ ସମସ୍ୟାର ସମାଧାନ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।
ସେପଟେ,ସମ୍ବଲପୁରରେ ମଣ୍ଡି ଓ ଟୋକନ ସମସ୍ୟାକୁ ନେଇ ତାତିଛନ୍ତି ଚାଷୀ Iଦାବି ପୂରଣ ନହେଲେ ଆସନ୍ତା ୧୯ ତାରିଖ ଦିନ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି । ଯଦି ଯଥାଶୀଘ୍ର ସମସ୍ୟାର ସମାଧାନ ନହୁଏ, ତେବେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି । ସୋମବାର ଦିନ ଚାଷୀମାନେ ଏକ ଅଭିନବ ଉପାୟରେ ନିଜର ପ୍ରତିବାଦ ଜଣାଇଛନ୍ତି । ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ ଚାଷୀ ହାତରେ ଧାନ ଧରି ସମ୍ବଲପୁର ପିରବାବା ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାଇଛନ୍ତି ।




