ଖରାପ ହେଉଛି ଭୁବନେଶ୍ୱର ବାୟୁମଣ୍ଡଳ ସ୍ଥିତି
ଭୁବନେଶ୍ୱର : ଦିନକୁ ଦିନ ଭୁବନେଶ୍ୱର ବାୟୁମଣ୍ଡଳର ସ୍ଥିତି ଉଦବେଗଜନକ ହେଉଛି I ନୂଆଦିଲ୍ଲୀ ପରେ ଭୁବନେଶ୍ୱର ବାୟୁମଣ୍ଡଳର ବିପଦଜନକ ଗୁଣବତ୍ତା ଚିନ୍ତାଜନକ ହେଲାଣି । ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ରବିବାର ସକାଳ ୮ଟା ବେଳେ ୬୯୪ ଥିବାବେଳେ ସଂଧ୍ୟା ୫ଟା ବେଳକୁ ୫୨୭କୁ କମିଛି ।
ସେହିପରି ରବିବାର ସକାଳ ୮ ଟା ସୁଦ୍ଧା ଭୁବନେଶ୍ୱରର ଏକ୍ୟୁଆଇ ୨୯୧ ଥିବା ବେଳେ ସନ୍ଧ୍ୟା ବେଳକୁ ଏହା ୩୭୮ରେ ପହଞ୍ଚିଥିଲା । ଅନୁଗୁଳ, ଝାରସୁଗୁଡା, ସୁନ୍ଦରଗଡ, ରାଉରକେଲା, ତାଳଚେର ଆଦି ଅଞ୍ଚଳରେ ଏକ୍ୟୁଆଇ ମଧ୍ୟ ଭଲ ସ୍ଥିତିରେ ନାହିଁ । ଏୟାର କ୍ୱାଲିଟି ଇଣ୍ଡେକ୍ସ ଦେଖିବାକୁ ଗଲେ ନୂଆଦିଲ୍ଲୀ ସହ ଯେମିତି ଭୁବନେଶ୍ୱର ପ୍ରତିଦ୍ବନ୍ଦିତା କରୁଥିବା ଭଳି ମନେ ହେଉଛି I
ବୈଜ୍ଞାନିକମାନେ କହୁଛନ୍ତି ଯେ ଏକ୍ୟୁଆଇ ପରିମାଣ ୧୫୦ ରୁ ୩୦୧ ମଧ୍ୟରେ ରହିଲେ ଆଜ୍ମା ବୃଦ୍ଧି ପାଇବା ସହ ହୃଦ୍ରୋଗ, ଫୁସ୍ଫୁସ୍ ଓ ଶ୍ୱାସନଳୀ ଜନିତ ଅନ୍ୟାନ୍ୟ ରୋଗ, ଆଲର୍ଜି ଆଦି ବଢିଥାଏ ଏବଂ ସାଧାରଣତଃ ଥଣ୍ଡାରୋଗରେ ଲୋକେ ସଂକ୍ରମିତ ହୋଇଥାନ୍ତି । ଏବେ ଭୁବନେଶ୍ୱରରେ ବାୟୁମଣ୍ଡଳରେ ଯେଉଁ ଗୁଣବତ୍ତା ରହିଛି ତାହା ଧୁମ୍ରପାନ ଜନିତ ଭୟଙ୍କର ସ୍ଥିତି ଭଳି ଜଣାଗଲାଣି । ଦିନକୁ ୯ଟି ସିଗାରେଟ ଟାଣିଲେ ଜଣେ ବ୍ୟକ୍ତିଙ୍କ ଶରୀରର ଯେଉଁଭଳି ଭାବରେ ଶ୍ୱାସନଳୀ, ଫୁସ୍ଫୁସ୍ ଓ ଶରୀର ପ୍ରଭାବିତ ହୋଇଥାଏ ବର୍ତ୍ତମାନ ଭୁବନେଶ୍ୱରର ବାୟୁମଣ୍ଡଳ ଗୁଣବତ୍ତା ସେହିଭଳି ପ୍ରଦୂଷିତ ହେବା ଫଳରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ପ୍ରତିକୂଳ ପ୍ରଭାବ ପକାଇବାର ସମ୍ଭାବନା ରହିଛି ।
ଏହାର ପ୍ରତିକାର ପାଇଁ ବିଶେଷକିଛି କାମ ନଥିଲେ ଘରୁ ନବାହାରିବା, ଏନ୍-୯୫ ମାସ୍କ ପିନ୍ଧିବା, ଘରେ ଘରେ ଏୟାର ଫିଲଟର, କାର ଫିଲଟର ଆଦି ବ୍ୟବହାର କରିବାପାଇଁ ବୈଜ୍ଞାନିକମାନେ ପରାମର୍ଶ ଦେଉଛନ୍ତି । ଏହାଛଡା ଘରର ଦୁଆର ଝରକା ମଧ୍ୟ ବନ୍ଦ ରଖିବାପାଇଁ ଅନେକ କ୍ଷେତ୍ରରେ ପରାମର୍ଶ ଦିଆଯାଉଛି ।
ସାଧାରଣତଃ ଶୀତ ଦିନେ ଏୟାର କ୍ୱାଲିଟି ଇଣ୍ଡେକ୍ସ ଖରାପ ରହିଥାଏ । ଏହାକୁ ଏଡାଇବାପାଇଁ ରାସ୍ତାଘାଟ ଓ ଗୃହ ନିର୍ମାଣସ୍ଥଳୀରେ ଯେଭଳି ଧୂଳି ନଉଡେ ଏବଂ ସଡକ ସଫେଇ ସମୟରେ ଧୂଳି ସୃଷ୍ଟି ନହୁଏ ସେ ଦିଗରେ ସତର୍କ ଦୃଷ୍ଟି ରଖିବାକୁ ବୈଜ୍ଞାନିକମାନେ ମତପୋଷଣ କରୁଥିବାବେଳେ ଉଭୟ ସରକାରୀ ଓ ବେସରକାରୀ ନିର୍ମାଣକାରୀ ସଂସ୍ଥାମାନେ ଏଥିପ୍ରତି ଆଖିବୁଜି ଦେଉଛନ୍ତି ।




