ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ

ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ
Samaya Live News Picture
Published On

ଭୁବନେଶ୍ୱର : ଆଜି ପଶ୍ଚିମ ଓଡ଼ିଶାର ମହାନ୍‌ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ମଙ୍ଗଳବାର ପବିତ୍ର ଭାଦ୍ରବ  ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ଆହ୍ୱାନରେ ପଣ୍ଡିତଙ୍କ ଦ୍ୱାରା  ଏବର୍ଷ ତୁଳା ଲଗ୍ନ, ମକର ନବାଂଶରେ  ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହୋଇଛି ନବାନ୍ନ । ପୂର୍ବାହ୍ନ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ତଥା  ତୁଳା ଲଗ୍ନ ମକର ନବାଂଶେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ  ଦେବୀ ମା' ସମଲେଶ୍ୱରୀଙ୍କ ଠାରେ ବର୍ଷର ପ୍ରଥମ ଅମଳ  ଶସ୍ୟ ପ୍ରସ୍ତୁତ ଭୋଗ ବା ନବାନ୍ନ ଲାଗି ହୋଇଛି ।

Untitled

ଏହାପରେ ପାର୍ଶ୍ବ ଦେବାଦେବୀଙ୍କୁ ନବାନ୍ନ ଲାଗି ହୋଇଛି । ପରେ ପଶ୍ଚିମ ଓଡ଼ିଶାବାସୀ ଘରର ଇଷ୍ଟ ଦେବା ଦେବୀଙ୍କ ନିକଟରେ  ନବାନ୍ନ ଅର୍ପଣ କରି ନିଜେ ଭକ୍ଷଣ କରିବେ ବୋଲି ଚୂଡାନ୍ତ  ହୋଇଛି । ନୁଆଁ ଖାଇ ପାଇଁ ସମଗ୍ର ପଶ୍ଚିମ ଓଡିଶା ଉତ୍ସବ ମୁଖର । ଦୂରଦୂରାନ୍ତରେ ଥିବା ପରିବାର ସଦସ୍ୟ  ଫେରିବା ପରେ ଘର ଉଠୁଛି ପଡୁଛି । ପିଠାପଣା ଆସରରେ ଘର ଅଗଣ ମହକି ଉଠିଛି ।  

ଏଥିପାଇଁ ମା’ ସମଲେଶ୍ୱରୀଙ୍କ ମୁଖ୍ୟ ପୂଜକଙ୍କ ନିକଟକୁ ବି ୫ ଦିନ ତଳୁ ସ୍ୱତନ୍ତ୍ର କିସମର ନୂଆଁ ସରିଆ  ଧାନ ଆସି ପହଞ୍ଚିସାରିଛି । ଏଥିରୁ ପ୍ରସ୍ତୁତ ନବାନ୍ନକୁ ମା’ଙ୍କ  ନିକଟରେ ଅର୍ପଣ କରାଯିବ ।  ସେପଟେ, ସାରା ପଶ୍ଚିମ ଓଡ଼ିଶାର ଘରେ ଘରେ ପରିବାର ସଦସ୍ୟ ଆସି ପହଞ୍ଚି  ସାରିଛନ୍ତି । 

ଆଜି ନୁଆଁ ଖାଇ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କହିଛନ୍ତି, ନୂଆଁଖାଇ କେବଳ ଏକ ପର୍ବ ନୁହେଁ । ଏହା ଆମର ମାଟି, ସଂସ୍କୃତି, ଚାଲିଚଳଣୀ ଓ ସାମାଜିକ ଏକତାର ପ୍ରାଣସ୍ପନ୍ଦନ । ଏହି ଆନନ୍ଦମୟ ପର୍ବରେ ଆମେ ସମସ୍ତେ ଭେଦଭାବ ଓ ତିକ୍ତତା ଭୁଲି ଗୁରୁଜନଙ୍କୁ ମୁଣ୍ଡିଆଁ ମାରି ଆଶୀର୍ବାଦ ନେଇଥାଉ । ଏ ସୁନ୍ଦର ପରମ୍ପରା ଆମ ପରିବାର ଏବଂ ଭାଇଚାରା ବନ୍ଧନକୁ ଆହୁରି ମଜଭୁତ କରିଥାଏ । 

୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ ଯାଏଁ ବିକଶିତ ଭାରତ ଗଠନ ପାଇଁ ସମସ୍ତେ ନିଜ ନିଜ କର୍ତ୍ତବ୍ୟ ପାଳନ କରନ୍ତୁ ବୋଲି ଛାତ୍ରଛାତ୍ରୀ, ଶ୍ରମିକ, ଯବାନ ଓ ଚାଷୀ ଭାଇଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆଖାଇଁ ସମସ୍ତଙ୍କ ଜୀବନରର ନୂଆ ଆଶା ଆଣିଦେଉ ଏବଂ ମାଆ ସମଲେଇ ସମସ୍ତଙ୍କୁ ସୁଖ ସମୃଦ୍ଧି ଦିଅନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି । 

Tags: