ଆଉ ମାସେ ଆହ୍ୱାନ; ବୃତ୍ତିଗତ ଦକ୍ଷତା ସହ ପରିସ୍ଥିତିର କରୋନା ମୁକାବିଲା କରାଯାଇପାରିବ
Edited by Papu Mohanty ଭୁବନେଶ୍ୱର : ମେ ୨୬:କରୋନା ସଂକ୍ରମଣ ଯୋଗୁ ଗତ ୨ ମାସରେ ଆମେ ଅନେକ ଶିକ୍ଷା ଲାଭ କରିଛୁ । ଦୁଇମାସ ଧରି ଲକ୍ଡାଉନ୍ ପରିସ୍ଥିତିରେ ରହିଛୁ । ବିମାନ ଓ ରେଳ ସେବା ଆରମ୍ଭ ହେବାଦ୍ୱାରା ଆଗାମୀ ୧୫ ଦିନରୁ ୧ ମାସ ପର୍ଯ୍ୟନ୍ତ ଆମପାଇଁ ଅଧିକ ଆହ୍ୱାନମୂଳକ ହେବ । ମାନବିକତାକୁ ଆଗରେ ରଖି ବୃତ୍ତିଗତ ଦକ୍ଷତା ସହ ଆମେ ପରିସ୍ଥିତିର ଉଚିତ୍ ମୁକାବିଲା କରିପାରିବା ବୋଲି ମୁଖ୍ୟମନ୍ତ୍ରୀ […]
Edited by Papu Mohanty
ଭୁବନେଶ୍ୱର : ମେ ୨୬:କରୋନା ସଂକ୍ରମଣ ଯୋଗୁ ଗତ ୨ ମାସରେ ଆମେ ଅନେକ ଶିକ୍ଷା ଲାଭ କରିଛୁ । ଦୁଇମାସ ଧରି ଲକ୍ଡାଉନ୍ ପରିସ୍ଥିତିରେ ରହିଛୁ । ବିମାନ ଓ ରେଳ ସେବା ଆରମ୍ଭ ହେବାଦ୍ୱାରା ଆଗାମୀ ୧୫ ଦିନରୁ ୧ ମାସ ପର୍ଯ୍ୟନ୍ତ ଆମପାଇଁ ଅଧିକ ଆହ୍ୱାନମୂଳକ ହେବ । ମାନବିକତାକୁ ଆଗରେ ରଖି ବୃତ୍ତିଗତ ଦକ୍ଷତା ସହ ଆମେ ପରିସ୍ଥିତିର ଉଚିତ୍ ମୁକାବିଲା କରିପାରିବା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ-୧୯ ନିୟନ୍ତ୍ରଣ ଓ ବାତ୍ୟା ପୁନର୍ଗଠନ ସମ୍ପର୍କରେ ସମୀକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବୈଜ୍ଞାନିକ, ସାମାଜିକ ତଥା ପ୍ରଶାସନିକ ଉପଲବ୍ଧି ଆମେ ହାସଲ କରିଛୁ । ଏହି ଉପଲବ୍ଧିକୁ ଭିତ୍ତିକରି ଭବିଷ୍ୟତ ଲାଗି କୌଶଳ ପୁନଃ ନିର୍ଦ୍ଧାରଣ କରିବାକୁ ହେବ । ସଂକ୍ରମଣକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ସହ ଜୀବନ ଜୀବିକା ଏବଂ ଅର୍ଥନୈତି କାର୍ଯ୍ୟକ୍ରମକୁ ସ୍ୱଭାବିକ ଅବସ୍ଥାକୁ ଫେରାଇ ଆଣିପାରିବା । ବିଶେଷ କରି ଓଡ଼ିଶାରେ କରୋନା ସଂକ୍ରମଣର ଗତି ସମ୍ପର୍କରେ ମିଳିଥିବା ଅନୁଭୂତି ଆମକୁ ଆଶା ଦେଖାଇଛି ଯେ କଡାକଡି ସାମାଜିକ ଦୂରତ୍ୱ, ମାସ୍କର ବ୍ୟବହାର ଏବଂ ବାରମ୍ବାର ହାତ ଧୋଇବା ଦ୍ୱାରା ଏହି ମହାମାରୀକୁ ସଫଳ ଭାବେ ନିୟନ୍ତ୍ରଣ କରିପାରିବା । ଅନୁଭୂତି କହୁଛି ଯେ ବିପଦଶଙ୍କୁଳ ଜନସାଧାରଣ, ବୟସ୍କ ଲୋକ ଗୁରୁତର ରୋଗରେ ପୀଡିତ ଲୋକମାନଙ୍କର ଅଧିକ ଯନି ଆବଶ୍ୟକ । ଏହି ବିଷୟକୁ ପ୍ରାଧାନ୍ୟ ଦେଇ ୧୫ ଦିନ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାମାଜିକ ଦୂରତାକୁ ସାମାଜିକ ବାସନ୍ଦ ବୋଲି ଭାବିବା ଉଚିତ୍ ନୁହେଁ । ବ୍ୟାପକ ସଚେତନତା ସହ କଠୋର ଶୃଙ୍ଖଳା ବର୍ତ୍ତମାନ ପରିସ୍ଥିତିରେ ଆବଶ୍ୟକ । ଏହା ହିଁ ଚଳିତ ସପ୍ତାହରେ ଆମପାଇଁ ଲକ୍ଷ୍ୟ । କରୋନା ନିୟନ୍ତ୍ରଣ ପାଇଁ ଆଗଧାଡିରେ ରହି କାମ କରୁଥିବା ବ୍ୟକ୍ତିବିଶେଷ ଏବଂ ବିପଦଶଙ୍କୁଳ ଜନସାଧାରଣଙ୍କର ସଠିକ୍ ସମୟରେ ପରୀକ୍ଷା କରାଯିବା ଆବଶ୍ୟକ । ଦେଶରେ କରୋନା ଭୂତାଣୁ ପରୀକ୍ଷଣ କ୍ଷେତ୍ରରେ ଓଡ଼ିଶା ଆଗୁଆ ରାଜ୍ୟ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ଆଗାମୀ ଦିନରେ ପ୍ରତ୍ୟେକ ଅଞ୍ଚଳରେ ବିକେନ୍ଦ୍ରୀକରଣ ପରୀକ୍ଷା ସୁବିଧା ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଥିଲେ । ଶ୍ରୀ ପଟ୍ଟନାୟକ କହିଥିଲେ ରାଜ୍ୟରେ ବାଧ୍ୟତାମୂଳକ ସଙ୍ଗରୋଧ ବ୍ୟବସ୍ଥା ଆଇସିଏମ୍ଆର୍ର ସୁପାରିଶ ଅନୁଯାୟୀ କରାଯାଇଛି । ଆନୁଷ୍ଠାନିକ ସଙ୍ଗରୋଧକୁ ଆବଶ୍ୟକତା ଭିତ୍ତିରେ ବୃଦ୍ଧି କରିବା ପାଇଁ ଜିଲ୍ଲାପାଳମାନଙ୍କୁ କ୍ଷମତା ଦିଆଯାଇଛି । ସଂକ୍ରମଣ ନିୟନ୍ତ୍ରଣ କରିବାଲାଗି ଜନସାଧାରଣଙ୍କ ବୃହତ୍ତର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ଏ ସମ୍ପର୍କରେ ନିଷ୍ପତ୍ତି ନେଇପାରିବେ । ବିଭିନ୍ନ ପଞ୍ଚାୟତରେ ଖୋଲାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରଗୁଡିକର ଭୂମିକା ଉପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରୋଗ ନିୟନ୍ତ୍ରଣ କ୍ଷେତ୍ରରେ ବହୁତ ଭଲ କାମ ହେଉଛି । ରାଜ୍ୟରେ କରୋନା ପଜିଟିଭ ମାମଲାରେ ୯୫% କେବଳ ଏହି ସଙ୍ଗରୋଧ କେନ୍ଦ୍ରରୁ ହିଁ ମିଳିଛି । ଏହା ଆମ ବ୍ୟବସ୍ଥାର ସୁଦୃଢ଼ତାକୁ ପ୍ରତିପାଦନ କରିବା ସହ ସରପଞ୍ଚ, ଲୋକପ୍ରତିନିଧି ଏବଂ ସରକାରଙ୍କ ବିଭିନ୍ନ ବିଭାଗର ତଳ ସ୍ତରରୁ ଉପର ପର୍ଯ୍ୟନ୍ତ ସବୁ କର୍ମଚାରୀଙ୍କ ନିଷ୍ଠା ଯୋଗୁ ସମ୍ଭବ ହୋଇପାରିଛି। କରୋନା ଯୁଦ୍ଧରେ ନିଜର ସବୁକିଛି ତ୍ୟାଗ କରି ଦିନରାତି କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କର ପ୍ରତିବଦ୍ଧତାକୁ ସେ ପ୍ରଶଂସା କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ଭିତରେ ଅନ୍ୟ ରାଜ୍ୟର ପ୍ରବାସୀମାନଙ୍କୁ ସାହାଯ୍ୟ କରିବା ପାଇଁ ଜିରୋ ୱାକିଂ ଇନ୍ସାଇଡ୍ ଓଡ଼ିଶା ନୀତି କାର୍ଯ୍ୟକାରୀ କରାଯାଇଛି । ଏହାକୁ ସଫଳତାର ସହ କାର୍ଯ୍ୟକାରୀ କରିବାରେ ରାଜ୍ୟ ପୋଲିସର କାର୍ଯ୍ୟ ଦକ୍ଷତା ପ୍ରଶଂସା ଯୋଗ୍ୟ ଓ ସେମାନେ ଅଭିନନ୍ଦନୀୟ । ବର୍ତ୍ତମାନସୁଦ୍ଧା ୧୪୬୬୯ ଜଣ ଅନ୍ୟ ରାଜ୍ୟର ବ୍ୟକ୍ତିଙ୍କୁ ବସ୍ ଯୋଗେ ସୀମା ଚେକ୍ପୋଷ୍ଟରେ ପହଞ୍ଚାଇ ଦିଆଯାଇଛି । କରୋନା ଯୁଦ୍ଧ ଏକ ଲମ୍ବା ଯୁଦ୍ଧ । ଏ ପର୍ଯ୍ୟନ୍ତ ଆମେ ଏହାକୁ ସଫଳତାର ସହ ପରିଚାଳନା କରିଛୁ । ସଙ୍ଗରୋଧ କେନ୍ଦ୍ରଗୁଡିକରେ ଥିବା ଅନ୍ତେବାସୀମାନଙ୍କ ପାଇଁ ଯେଉଁ ସଂକ୍ଷିପ୍ତ ସାର୍ଟିଫିକେଟ କୋର୍ସ ଆରମ୍ଭ କରାଯାଇଛି ତାହା ଭବିଷ୍ୟତର ଆହ୍ୱାନକୁ ସଫଳ ଭାବେ ମୁକାବିଲା କରିବାରେ ବିଶେଷ ସହାୟକ ହେବ । କରୋନା ସଂକ୍ରମଣ ଭୟକୁ ଖାତିର ନକରି ଆମ୍ଫାନ ବାତ୍ୟା ସମୟରେ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ଲୋକଙ୍କ ଜୀବନ ବଞ୍ଚାଇବା ଭଳି ଯେଉଁଭଳି ସାହସିକତା ଓ ନିଷ୍ଠାର ସହ କାର୍ଯ୍ୟ କଲେ ଏବଂ ଶୂନ ମୃତାହତ ଲକ୍ଷ୍ୟ ହାସଲ କରିପାରିଲେ ଏଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଉଛନ୍ତି । ବାତ୍ୟାର ୨୪ ଘଣ୍ଟା ମଧ୍ୟରେ କ୍ଷତିଗ୍ରସ୍ତ ରାସ୍ତାର ପୁନରୁଦ୍ଧାର, ୪୮ ଘଣ୍ଟା ମଧ୍ୟରେ ବିଦୁ୍ୟତ୍ ଯୋଗାଣ ସ୍ୱାଭାବିକ କରି ଆମ କର୍ମଚାରୀମାନେ ଯେଉଁ ଦକ୍ଷତା ପ୍ରଦର୍ଶନ କରିଛନ୍ତି ତାହା ପ୍ରଶଂସନୀୟ । ଓଡ଼ିଶାବାସୀ ଏଭଳି ବିପତ୍ତି ସମୟରେ ଅନେକ ତ୍ୟାଗ ସ୍ୱୀକାର କରିଛନ୍ତି । ସରକାର ସବୁବେଳେ ସେମାନଙ୍କୁ ସହଯୋଗ କରିଛନ୍ତି । ଏହି ତ୍ୟାଗ ହିଁ ଆଗକୁ ବଢ଼ିବା ପାଇଁ ଆମକୁ ପ୍ରେରଣା ଦେବାସହ ଅଧିକ କଠିନ ପରିଶ୍ରମ କରିବା ଲାଗି ଶକ୍ତି ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।




