ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପଙ୍କୁ ୟୁକ୍ରେନ୍ର ସର୍ବୋଚ୍ଚ ନାଗରିକ ସମ୍ମାନ
ଯୁଦ୍ଧବିରତି ପାଇଁ ମଧ୍ୟସ୍ଥତା ସହ ରୁଷ୍ରୁ ୟୁକ୍ରେନୀୟ ଶିଶୁଙ୍କୁ ଫେରାଇ ଆଣିବା ଉଦ୍ୟମରେ ରହିଛି ଭୂମିକା
କିଭ୍: ରୁଷ୍-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ମାନବିକତାର ଏକ ଉଦ୍ୟମକୁ ସ୍ୱୀକୃତି ଦେଇ ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପଙ୍କୁ ସମ୍ମାନିତ କରିଛି ୟୁକ୍ରେନ୍। ରୁଷ୍ ଅଧିକୃତ ଅଞ୍ଚଳରୁ ସାଧାରଣ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଲାଗି ଦୁଇ ଦେଶ ମଧ୍ୟରେ ସ୍ଥାନୀୟ ଯୁଦ୍ଧବିରତି କରାଇବାରେ ମଧ୍ୟସ୍ଥତା କରିଥିବାରୁ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ତାଙ୍କୁ ଦେଶର ଏକ ସମ୍ମାନଜନକ ନାଗରିକ ପୁରସ୍କାର ‘ଅର୍ଡର ଅଫ୍ ପ୍ରିନ୍ସେସ୍ ଓଲଗା’ର ପ୍ରଥମ ଶ୍ରେଣୀ ସମ୍ମାନ ପ୍ରଦାନ କରିଛନ୍ତି। ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସରକାରୀ ୱେବ୍ସାଇଟ୍ରେ ପ୍ରକାଶିତ ଆଦେଶ ଅନୁଯାୟୀ, ୟୁକ୍ରେନ୍କୁ ମାନବିକ ସହାୟତା ଯୋଗାଇବାରେ ମେଲାନିଆଙ୍କ ବ୍ୟକ୍ତିଗତ ଅବଦାନ ଏବଂ ମାନବାଧିକାର ଓ ଦାତବ୍ୟ କାର୍ଯ୍ୟରେ ସକ୍ରିୟ ଭୂମିକାକୁ ସ୍ୱୀକୃତି ଦେଇ ଏହି ସମ୍ମାନ ଦିଆଯାଇଛି। ଗତ ମାସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଦକ୍ଷିଣ ଯୁଦ୍ଧକ୍ଷେତ୍ରରେ ଥିବା ରୁଷ୍ ଅଧିକୃତ ଓଲେଶ୍କି ସହରର ବାସିନ୍ଦାଙ୍କୁ ସେଠାରୁ ଚାଲିଯିବାର ସୁଯୋଗ ଦେବା ପାଇଁ ଏକ ସ୍ଥାନୀୟ ଯୁଦ୍ଧବିରତି ଘୋଷଣା କରିଥିଲେ। ଖାଦ୍ୟ ଓ ଔଷଧର ଅଭାବ ମଧ୍ୟରେ ସେଠାକାର ଲୋକେ ଦୀର୍ଘ ସପ୍ତାହ ଧରି ଅସୁବିଧାରେ ରହୁଥିଲେ। ଏହି ବିରତିକୁ ଉଭୟ ପକ୍ଷ ସମ୍ମାନ ଦେଇଥିବାରୁ ରାସ୍ତାରୁ ବାରୁଦ ସୁଡ଼ଙ୍ଗ ହଟାଇବା ସହ ଲୋକଙ୍କୁ ୟୁକ୍ରେନ୍ କିମ୍ବା ରୁଷ୍ ଯିବାର ସୁଯୋଗ ମିଳିଥିଲା। ମେଲାନିଆଙ୍କ ହ୍ୱାଇଟ୍ ହାଉସ୍ କାର୍ଯ୍ୟାଳୟ ଏହାକୁ ଜଣେ ଆମେରିକୀୟ ପ୍ରଥମ ମହିଳାଙ୍କ ଅଭୂତପୂର୍ବ କୂଟନୈତିକ ପଦକ୍ଷେପ ବୋଲି କହିଛି। ଏଥିସହ ରୁଷ୍ ଓ ୟୁକ୍ରେନ୍ର ପ୍ରତିନିଧିମାନଙ୍କୁ ହ୍ୱାଇଟ୍ ହାଉସ୍ରେ ଏକାଠି କରିବାକୁ ମେଲାନିଆ ନିଜେ ଉଦ୍ୟମ କରିବେ ବୋଲି ମଧ୍ୟ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଗୁରୁବାର ହ୍ୱାଇଟ୍ ହାଉସ୍ରେ ଓଲେଶ୍କି ଯୁଦ୍ଧବିରତି ସମ୍ପର୍କରେ ସେ ମତ ରଖିବେ। ଏହାବ୍ୟତୀତ ରୁଷ୍କୁ ନିଆଯାଇଥିବା ୟୁକ୍ରେନୀୟ ଶିଶୁମାନଙ୍କୁ ଫେରାଇ ଆଣିବା ଉଦ୍ୟମରେ ମଧ୍ୟ ମେଲାନିଆ ସାମିଲ ଅଛନ୍ତି।




