ନୂଆ ଜୀବନ ଆରମ୍ଭ କଲେ ୱାୟନାଡ଼ ଭୂସ୍ଖଳନରେ ୯ ପରିବାର ସଦସ୍ୟଙ୍କୁ ହରାଇଥିବା ଶ୍ରୁତି

ନୂଆ ଜୀବନ ଆରମ୍ଭ କଲେ ୱାୟନାଡ଼ ଭୂସ୍ଖଳନରେ ୯ ପରିବାର ସଦସ୍ୟଙ୍କୁ ହରାଇଥିବା ଶ୍ରୁତି
Samaya Live Desk Picture
Published On
ୱାୟନାଡ଼: ଆଖି ଆଗରେ ଉଜୁଡ଼ି ଯାଇଥିଲା ପୂରା ପରିବାର। ପ୍ରଳୟଙ୍କରୀ ଭୂସ୍ଖଳନରେ ବାପା, ମାଆ, ଭଉଣୀଙ୍କ ସମେତ ୯ ଜଣ ଆତ୍ମୀୟଙ୍କୁ ହରାଇଥିଲେ। ମୁଣ୍ଡ ଉପରୁ ଛାତ ଛଡ଼ାଇ ନେଇଥିଲା ପ୍ରକୃତିର କରାଳ ରୂପ। ଏତିକିରେ ସରି ନଥିଲା ଦୁଃଖ। ଯାହାଙ୍କୁ ଜୀବନସାଥୀ କରିବାର ସ୍ୱପ୍ନ ଦେଖିଥିଲେ, ସେହି ପ୍ରେମିକଙ୍କୁ ମଧ୍ୟ ସଡ଼କ ଦୁର୍ଘଟଣାରେ ହରାଇଥିଲେ। ହେଲେ ଏତେସବୁ ଦୁଃଖ ଓ ଯନ୍ତ୍ରଣା ପରେ ହାର ମାନିନାହାନ୍ତି କେରଳର ଶ୍ରୁତି। ଜୀବନର ସବୁଠୁ କଠିନ ପରୀକ୍ଷାର ସାମ୍ନା କରି ଶେଷରେ ସେ ନୂଆ ଜୀବନ ଆରମ୍ଭ କରିଛନ୍ତି। ଶନିବାର ଗୁରୁବାୟୁର ଶ୍ରୀକୃଷ୍ଣ ମନ୍ଦିରରେ ସନ୍ଦୀପଙ୍କ ହାତ ଧରିଛନ୍ତି ୨୪ ବର୍ଷୀୟା ଶ୍ରୁତି।
୨୦୨୪ ଜୁଲାଇ ୩୦ରେ କେରଳର ୱାୟନାଡ଼ ଜିଲାର ଚୂରଲମାଲା ଓ ମୁଣ୍ଡକ୍କାଇ ଗ୍ରାମରେ ଭୟାବହ ଭୂସ୍ଖଳନ ଘଟିଥିଲା। ଏହି ବିପର୍ଯ୍ୟୟରେ ଶ୍ରୁତି ତାଙ୍କ ପରିବାରର ୯ ଜଣ ସଦସ୍ୟଙ୍କୁ ହରାଇଥିଲେ। ଏଥିରେ ତାଙ୍କ ବାପା, ମାଆ ଓ ସାନଭଉଣୀ ମଧ୍ୟ ଥିଲେ। ଭୂସ୍ଖଳନରେ ତାଙ୍କ ନୂଆ ଘରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଏହାସହ ପ୍ରାୟ ୪ ଲକ୍ଷ ଟଙ୍କା ନଗଦ ଓ ୧୫ ସୋଭରେନ୍‌ ସୁନା ମଧ୍ୟ ହରାଇଥିଲେ ସେ। ଏହି ଦୁଃଖଦ ସମୟରେ ଶ୍ରୁତିଙ୍କ ଏକମାତ୍ର ସାହାରା ଥିଲେ ତାଙ୍କ ପ୍ରେମିକ ଜେନ୍‌ସନ୍‌। ଦୀର୍ଘ ୧୦ ବର୍ଷର ପ୍ରେମ ସମ୍ପର୍କ ପରେ ୨୦୨୪ ଜୁନ୍‌ ୨ ତାରିଖରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। ଅଗଷ୍ଟ ୨୯ରେ ଉଭୟ ପୁଥୁମାଲା ଶ୍ମଶାନକୁ ଯାଇ ଶ୍ରୁତିଙ୍କ ପରିବାରର କିଛି ସଦସ୍ୟଙ୍କ ସମାଧି ନିକଟରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଜୀବନସାରା ଏକାଠି ରହିବାକୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରଥମେ ଡିସେମ୍ବରରେ ବିବାହ କରିବାକୁ ସ୍ଥିର ହୋଇଥିଲେ ମଧ୍ୟ ପରେ ସେପ୍ଟେମ୍ବରରେ ସରଳ ଭାବେ କୋର୍ଟ ମ୍ୟାରେଜ୍‌ କରିବାକୁ ଯୋଜନା କରିଥିଲେ। କିନ୍ତୁ ଭାଗ୍ୟର ବିଡ଼ମ୍ବନା, ୨୦୨୪ ସେପ୍ଟେମ୍ବର ୧୦ରେ ଜେନ୍‌ସନ୍‌ଙ୍କ ଗାଡ଼ି ଏକ ବସ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ଜେନ୍‌ସନ୍‌ ଗୁରୁତର ଆହତ ହୋଇ ପରେ ପ୍ରାଣ ହରାଇଥିଲେ। ଏହି ଦୁର୍ଘଟଣାରେ ଶ୍ରୁତି ଓ ଜେନ୍‌ସନ୍‌ଙ୍କ ପରିବାରର ଅନ୍ୟ କେତେଜଣ ସଦସ୍ୟ ମଧ୍ୟ ଆହତ ହୋଇଥିଲେ।ଏତେସବୁ ଦୁର୍ଦ୍ଦିନ ପରେ ଶ୍ରୁତିଙ୍କ ଜୀବନରେ ପୁଣି ଖୁସି ଫେରିଛି। ମାନନ୍ତାବାଡ଼ିର ବାସିନ୍ଦା ସନ୍ଦୀପଙ୍କ ସହ ଶନିବାର ସକାଳେ ଗୁରୁବାୟୁର ମନ୍ଦିରରେ ତାଙ୍କ ବିବାହ ସମ୍ପନ୍ନ ହୋଇଛି। ଏହି ଅବସରରେ ତାଙ୍କର ବଞ୍ଚିଥିବା ଆତ୍ମୀୟ, ବନ୍ଧୁବାନ୍ଧବ ଓ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ। ଭୂସ୍ଖଳନ ସମୟରେ ପୁନର୍ବାସ କାର୍ଯ୍ୟର ସମନ୍ୱୟ ଦାୟିତ୍ୱରେ ଥିବା ସିପିଆଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କେ. ରାଜନ ମଧ୍ୟ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ସାମ୍ବାଦିକଙ୍କ ସହ କଥା ହୋଇ ଶ୍ରୁତି କହିଛନ୍ତି, ତାଙ୍କ ଜୀବନର ସବୁକିଛି ଜାଣିବା ପରେ ମଧ୍ୟ ସନ୍ଦୀପ ତାଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିବାକୁ ଆଗେଇ ଆସିଛନ୍ତି। ଉଭୟ ଏକାଠି ସୁଖୀ ଜୀବନ ବିତାନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି। ଏହି କଠିନ ସମୟରେ ତାଙ୍କୁ ସହଯୋଗ କରିଥିବା ସମସ୍ତଙ୍କୁ ମଧ୍ୟ ସେ କୃତଜ୍ଞତା ଜଣାଇଛନ୍ତି। କେ. ରାଜନ ମଧ୍ୟ ଶ୍ରୁତିଙ୍କ ନୂଆ ଜୀବନ ପାଇଁ ଖୁସି ପ୍ରକାଶ କରିବା ସହ ବିପର୍ଯ୍ୟୟ ପରେ ଏଲ୍‌ଡିଏଫ୍‌ ସରକାର ତାଙ୍କୁ ସହଯୋଗ କରିଥିବା କହିଛନ୍ତି। ଶ୍ରୁତିଙ୍କୁ ସରକାର ରାଜସ୍ୱ ବିଭାଗରେ କିରାଣି ଭାବେ ନିଯୁକ୍ତି ଦେଇଥିବାବେଳେ ତାଙ୍କ ସ୍ୱାମୀ ସନ୍ଦୀପ ମଧ୍ୟ ୱାୟନାଡ଼ ଜିଲାପାଳ କାର୍ଯ୍ୟାଳୟରେ ସରକାରୀ କର୍ମଚାରୀ ଭାବେ କାମ କରୁଛନ୍ତି।ଅସହ୍ୟ ଦୁଃଖ ଓ ଅନେକ ହରାଇବାର ଯନ୍ତ୍ରଣା ମଧ୍ୟରେ ଶ୍ରୁତିଙ୍କ ଏହି ନୂଆ ଅଧ୍ୟାୟ ଏବେ ଅନେକଙ୍କ ପାଇଁ ସାହସ ଓ ଆଶାର ବାର୍ତ୍ତା ପାଲଟିଛି।
 
Tags: