‘ବ୍ୟାଡ୍ ଟଚ୍’କୁ ବିରୋଧ କରିବାରୁ ମୁମ୍ବାଇ ଲୋକାଲ୍ ଟ୍ରେନ୍ରୁ ମହିଳାଙ୍କୁ ଠେଲିଦେଲେ, ଜଣେ ଗିରଫ
ମୁମ୍ବାଇ: ଚଳନ୍ତା ମୁମ୍ବାଇ ଲୋକାଲ୍ ଟ୍ରେନ୍ରେ ଜଣେ ଯୁବତୀ ‘ବ୍ୟାଡ୍ ଟଚ୍’କୁ ବିରୋଧ କରିବାରୁ ତାଙ୍କୁ ଟ୍ରେନ୍ରୁ ଠେଲିଦେଇଛନ୍ତି ଜଣେ ଯାତ୍ରୀ। ଫଳରେ ଟ୍ରେନ୍ ଚକା ତଳେ ପଡ଼ି ଯୁବତୀଙ୍କ ବାମ ହାତ କହୁଣି ପାଖରୁ କଟିଯାଇଛି। ଏଥିସହ ତାଙ୍କ ମୁଣ୍ଡରେ ୧୬ଟି ଷ୍ଟିଚ୍ ପଡ଼ିଛି। ଘଟଣାରେ ଅଭିଯୁକ୍ତକୁ ରେଳବାଇ ପୁଲିସ ଗିରଫ କରିଛି। ଏହି ଘଟଣା ନଭେମ୍ବର ୪ ତାରିଖରେ ମୁମ୍ବାଇର ନାୟଗାଓଁ ରେଳ ଷ୍ଟେସନରେ ଘଟିଥିବା ଜଣାପଡ଼ିଛି। ପୀଡ଼ିତା ବୋରିଭଲିରୁ ବିରାର ଯାଉଥିବା ଲୋକାଲ୍ ଟ୍ରେନ୍ରେ ଯାତ୍ରା କରୁଥିଲେ। ଭିଡ଼ ଯୋଗୁଁ ସେ ଭୁଲ୍ବଶତଃ ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ ଡବାରେ ଚଢ଼ିଯାଇଥିଲେ। ସେହି ଡବାରେ ଯାତ୍ରା କରୁଥିବା ୫୩ ବର୍ଷୀୟ ଜିତେନ୍ଦ୍ର ହିରମୁଖେ ତାଙ୍କ ସହ ଅସଦାଚରଣ କରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ଯୁବତୀ ଏହାର ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏପରିକି ଯୁବତୀ ଜଣକ ନିଜ ଚପଲ ଫିଙ୍ଗି ଅଭିଯୁକ୍ତଙ୍କୁ ପ୍ରତିବାଦ କରିଥିଲେ। ଅଭିଯୁକ୍ତ ମଧ୍ୟ ତାଙ୍କୁ ଚପଲ ଫିଙ୍ଗି ମାରିବା ସହ ଗାଳିଗୁଲଜ କରିଥିଲେ। ଯାତ୍ରୀମାନେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିବାଦ ଥମିନଥିଲା।
ଟ୍ରେନ୍ ନାୟଗାଓଁ ଷ୍ଟେସନରେ ପହଞ୍ଚିବା ପରେ ଅଭିଯୁକ୍ତ ଯୁବତୀଙ୍କୁ ଦୁଇ ଡବା ମଧ୍ୟରେ ଥିବା ରେଳଧାରଣା ଉପରକୁ ଠେଲି ଦେଇଥିଲେ। ସେ ପ୍ଲାଟଫର୍ମକୁ ଉଠିବାକୁ ଚେଷ୍ଟା କରୁଥିବା ସମୟରେ ଟ୍ରେନ୍ ଚାଲିବା ଆରମ୍ଭ କରିଦେଇଥିଲା। ଫଳରେ ତାଙ୍କ ବାମ ହାତ ଟ୍ରେନ୍ ଚକା ତଳେ ପଡ଼ିଯାଇଥିଲା। ଗୁରୁତର ଆହତ ଯୁବତୀଙ୍କୁ ପୁଲିସ କର୍ମଚାରୀ ଓ ଅନ୍ୟ ଯାତ୍ରୀମାନେ ଉଦ୍ଧାର କରିଥିଲେ। ଚିକିତ୍ସା ସମୟରେ ତାଙ୍କ ବାମ ହାତ କହୁଣି ତଳୁ କାଟିବାକୁ ପଡ଼ିଥିଲା। ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ ମଧ୍ୟ ରେଳବାଇ ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରି ତାଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ଜିତେନ୍ଦ୍ର ହିରମୁଖେ। ତାଙ୍କ ଘର ନାୟଗାଓଁ ଇଷ୍ଟ ଅଞ୍ଚଳରେ।
ଅନ୍ୟପକ୍ଷରେ, ପୁଲିସ ପ୍ରଥମେ ହତ୍ୟା ଉଦ୍ୟମ ଧାରା ୧୦୯ ଲଗାଇନଥିବାରୁ ପୀଡ଼ିତାଙ୍କ ପରିବାର ତଦନ୍ତକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ। ଏହାପରେ ପରିବାର ଲୋକେ ମହାରାଷ୍ଟ୍ର ନବନିର୍ମାଣ ସେନାର ସହାୟତା ଲୋଡ଼ିଥିଲେ। ପରେ ପୁଲିସ ଆବଶ୍ୟକ ଧାରା ଯୋଡ଼ିବାକୁ ଆଶ୍ୱାସନା ଦେଇଥିବା ଜଣାପଡ଼ିଛି। ହସ୍ପିଟାଲରେ ଚିକିତ୍ସାଧୀନ ପୀଡ଼ିତା କହିଛନ୍ତି, ତାଙ୍କର ପୂରା ପରିବାରର ଦାୟିତ୍ୱ ତାଙ୍କ ଉପରେ ଥିଲା। ଏବେ ଗୋଟିଏ ହାତ ହରାଇବା ପରେ ତାଙ୍କ ଜୀବନ ଦୁର୍ବିଷହ ହୋଇପଡ଼ିଛି। ତାଙ୍କୁ ନ୍ୟାୟ ମିଳୁ ବୋଲି ସେ ଦାବି କରିଛନ୍ତି।
Tags:




