ମୋଦିଙ୍କୁ କାହିଁକି ଫୋନ୍ କଲେ ଜେଲେନସ୍କି?

ମୋଦିଙ୍କୁ କାହିଁକି ଫୋନ୍ କଲେ ଜେଲେନସ୍କି?
Samaya Live News Picture
Published On

ଗୋଟିଏ ପଟେ ରୁଷ୍, ଅନ୍ୟପଟେ ୟୁକ୍ରେନ୍ । ଦୁଇ ଦେଶ ମଧ୍ୟରେ ଦୀର୍ଘଦିନ ଧରି ଚାଲିଛି ଭୟଙ୍କର ଯୁଦ୍ଧ । ହଜାର ହଜାର ଲୋକଙ୍କ ଜୀବନ ପ୍ରଭାବିତ, ବିଶ୍ୱ ଅର୍ଥନୀତି ଉପରେ ପଡ଼ୁଛି ଏହାର ପ୍ରଭାବ। କିନ୍ତୁ ଏହି ଯୁଦ୍ଧକୁ ରୋକିବା ପାଇଁ ଏବେ କାହା ଉପରେ ରହିଛି ସମସ୍ତଙ୍କ ନଜର? କାହିଁକି ବାରମ୍ବାର ଭାରତ ଆଡ଼କୁ ଆଶାର ନଜରରେ ଚାହୁଁଛି ୟୁକ୍ରେନ୍? ଆଉ ଏଥର ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇ କ'ଣ ବଡ଼ ବାର୍ତ୍ତା ଦେଲେ ଜେଲେନସ୍କି? ଆବୁଧାବି ବୈଠକକୁ ନେଇ ମଧ୍ୟ ବଢ଼ିଛି ଚର୍ଚ୍ଚା । ତେବେ କ'ଣ ଭାରତର କୂଟନୈତିକ ପ୍ରୟାସ ରୁଷ୍-ୟୁକ୍ରେନ୍ ଯୁଦ୍ଧର ଅନ୍ତ ଘଟାଇବାରେ ନୂଆ ରାସ୍ତା ଖୋଲିବ? ଆସନ୍ତୁ ଜାଣିବା ଏହି ରିପୋର୍ଟରେ ।

ବିଶ୍ୱରେ ଚାଲିଥିବା ଯୁଦ୍ଧ ଏବଂ ଅଶାନ୍ତି ମଧ୍ୟରେ ଶାନ୍ତିର ବାଟ ଖୋଜୁଛି ଭାରତ । ଗୋଟିଏ ପଟେ ରୁଷ୍ ସହ ଦୀର୍ଘଦିନର ବନ୍ଧୁତ୍ୱ, ଅନ୍ୟପଟେ ୟୁକ୍ରେନ୍ ସହ କୂଟନୈତିକ ସମ୍ପର୍କ। ଏଭଳି ସ୍ଥିତିରେ ଭାରତର ଭୂମିକା ଏବେ ବେଶ୍ ଗୁରୁତ୍ୱ ବହନ କରୁଛି। ଆଉ ଏହି ସମୟରେ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହ ଫୋନ୍ରେ କଥା ହୋଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି ଆଲୋଚନାରେ କେଉଁ ସବୁ ପ୍ରସଙ୍ଗ ଉଠିଲା? ଯୁଦ୍ଧ ବନ୍ଦ କରିବାରେ ଭାରତ କେଉଁ ଭୂମିକା ନେବାକୁ ଯାଉଛି?

ସୋମବାର ଦିନ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ୍ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କିଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଥିଲେ। ଏହି ସମୟରେ ରୁଷ୍-ୟୁକ୍ରେନ୍ ଯୁଦ୍ଧର ସାମ୍ପ୍ରତିକ ସ୍ଥିତି ଏବଂ ଏହା ସହ ଜଡ଼ିତ ବିଭିନ୍ନ ଘଟଣା ଉପରେ ଦୁଇ ନେତାଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥିଲା । ଜେଲେନସ୍କି ଯୁଦ୍ଧର ବର୍ତ୍ତମାନ ସ୍ଥିତି ନେଇ ନିଜର ମତ ରଖିଥିବାବେଳେ ମୋଦି ଭାରତର ଶାନ୍ତି ଓ ମାନବିକତା ଆଧାରିତ ଆଭିମୁଖ୍ୟକୁ ପୁଣିଥରେ ସ୍ପଷ୍ଟ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଯୁଦ୍ଧର ସମାଧାନ କେବଳ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ହିଁ ସମ୍ଭବ। ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ଯେକୌଣସି ସକାରାତ୍ମକ ପ୍ରୟାସକୁ ଭାରତ ସମର୍ଥନ କରିବା ସହ ଆବଶ୍ୟକ ସହଯୋଗ ଯୋଗାଇବାକୁ ପ୍ରସ୍ତୁତ ଅଛି ।

ଅନ୍ୟପଟେ ଏହି ଫୋନ୍ କଲ୍ ପରେ ଜେଲେନସ୍କି ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରି ଆଲୋଚନା ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ, ମୋଦିଙ୍କ ସହ କଥା ହୋଇ ସାମ୍ପ୍ରତିକ ରାଜନୈତିକ ଘଟଣାବଳୀ ବିଷୟରେ ଅବଗତ କରାଇଛନ୍ତି। ଏହା ସହ ଆବୁଧାବିରେ ହେବାକୁ ଥିବା ବୈଠକକୁ ଉଭୟ ପକ୍ଷ ଅପେକ୍ଷା କରିଛନ୍ତି । ବୈଠକର ଏଜେଣ୍ଡାରେ ଥିବା ପ୍ରତ୍ୟେକ ପ୍ରସଙ୍ଗ ପାଇଁ ୟୁକ୍ରେନ୍ ସକ୍ରିୟ ଭାବେ ପ୍ରସ୍ତୁତି କରୁଛି ବୋଲି ସେ କହିଥିଲେ। ଜେଲେନସ୍କି ଆହୁରି କହିଥିଲେ ଯେ, ୟୁକ୍ରେନ୍ ସବୁବେଳେ ସକାରାତ୍ମକ ଆଭିମୁଖ୍ୟ ରଖିଆସିଛି। ତେଣୁ ରୁଷ୍ ମଧ୍ୟ ଉତ୍ତେଜନା ହ୍ରାସ କରିବା ଦିଗରେ ସମାନ ଆଗ୍ରହ ଦେଖାଇବା ଆବଶ୍ୟକ। ଯୁଦ୍ଧ ଜାରି ରଖିବା ବଦଳରେ ଏହାକୁ ଶେଷ କରିବା ଏବେ ସବୁଠାରୁ ଜରୁରୀ ବୋଲି ସେ ମତ ରଖିଥିଲେ ।

ଏହି ଆଲୋଚନାରେ ଖାଦ୍ୟ ସୁରକ୍ଷା ଏବଂ କୃଷ୍ଣସାଗର ଦେଇ ଶସ୍ୟ ରପ୍ତାନି ପ୍ରସଙ୍ଗ ମଧ୍ୟ ଗୁରୁତ୍ୱ ପାଇଥିଲା। ଜେଲେନସ୍କିଙ୍କ କହିବା ଅନୁସାରେ, ରୁଷ୍ର କାର୍ୟ୍ୟକଳାପ ଯୋଗୁଁ କୃଷ୍ଣସାଗର ଦେଇ ଶସ୍ୟ ରପ୍ତାନି ବାଧାପ୍ରାପ୍ତ ହୋଇଛି । ଏହାର ପ୍ରଭାବ କେବଳ ୟୁକ୍ରେନ୍ରେ ସୀମିତ ନୁହେଁ, ବରଂ ବିଶ୍ୱର ଅନେକ ଦେଶର ଖାଦ୍ୟ ଯୋଗାଣ ଓ ଅର୍ଥନୀତି ଉପରେ ପଡ଼ୁଛି । ଏଭଳି ସ୍ଥିତିରେ ଖାଦ୍ୟ ଯୋଗାଣ ପାଇଁ ଏକ ସୁରକ୍ଷିତ କରିଡର୍ ସ୍ଥାପନ କରିବା ଦିଗରେ ଭାରତ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ ବୋଲି ଆଲୋଚନା ହୋଇଛି। କାରଣ ସମୁଦ୍ର ପଥରେ ବାଧା ସୃଷ୍ଟି ହେଲେ ଏହାର ପ୍ରଭାବ ବିଶ୍ୱ ବଜାର ଏବଂ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଉପରେ ପଡ଼ିପାରେ ।

ସେହିପରି ଭାରତ ଓ ୟୁକ୍ରେନ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ନେଇ ମଧ୍ୟ ଦୁଇ ନେତା ଆଲୋଚନା କରିଥିଲେ। ବାଣିଜ୍ୟ, ଅର୍ଥନୀତି ଏବଂ ଅନ୍ୟାନ୍ୟ ସହଯୋଗ କ୍ଷେତ୍ରରେ ନୂଆ ପଦକ୍ଷେପ ନେବାକୁ ଉଭୟ ଦେଶ ସହମତ ହୋଇଛନ୍ତି। ଏହାଦ୍ୱାରା ଉଭୟ ଦେଶର ଲୋକମାନେ ଲାଭବାନ ହୋଇପାରିବେ। ଏହା ପୂର୍ବରୁ ଆଟଲାଣ୍ଟାରେ ଆୟୋଜିତ ଏ୨୦ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ମଧ୍ୟ ଏହି ପ୍ରସଙ୍ଗରେ ଭାରତର ଭୂମିକା ବିଷୟରେ କହିଥିଲେ। ତାଙ୍କ ଅନୁସାରେ, ଭାରତ ତିନୋଟି ପ୍ରମୁଖ ପ୍ରସଙ୍ଗରେ ସମ୍ପୃକ୍ତ ପକ୍ଷମାନଙ୍କ ସହ ଆଲୋଚନା କରୁଛି। ସେଗୁଡ଼ିକ ହେଉଛି ସମୁଦ୍ରରେ ବେସାମରିକ ଜାହାଜ ଓ ନାବିକଙ୍କ ସୁରକ୍ଷା, କୃଷ୍ଣସାଗର ଦେଇ ଶସ୍ୟ ରପ୍ତାନି ପୁନଃ ଆରମ୍ଭ କରିବା ଏବଂ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ବନ୍ଦ କରିବା ।

ଉଲ୍ଲେଖଯୋଗ୍ୟ, ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଭାରତ ଉଭୟ ଦେଶ ସହ ନିରନ୍ତର ଯୋଗାଯୋଗରେ ରହିଛି । ଭାରତ ୟୁକ୍ରେନ୍କୁ ମାନବିକ ସହାୟତା ମଧ୍ୟ ପଠାଇଛି। ଅନ୍ୟପଟେ ରୁଷ୍ ସହ ଭାରତର ଦୀର୍ଘଦିନର ରଣନୈତିକ ଓ କୂଟନୈତିକ ସମ୍ପର୍କ ରହିଛି। ତେଣୁ ଏହି ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ଭାରତର ସନ୍ତୁଳିତ ଆଭିମୁଖ୍ୟ ଏବେ ବିଶେଷ ଗୁରୁତ୍ୱ ବହନ କରୁଛି। ଯୁଦ୍ଧ ନୁହେଁ, ଆଲୋଚନା ଓ କୂଟନୀତି ହିଁ ସମାଧାନର ରାସ୍ତା—ଏହି ବାର୍ତ୍ତାକୁ ଭାରତ ପୁଣିଥରେ ବିଶ୍ୱ ସମ୍ମୁଖରେ ରଖିଛି ।

Tags: