‘ଦାଦି ଓ ଚାଚାଙ୍କୁ ଲୋକେ ଚୋର କାହିଁକି କହୁଛନ୍ତି’ ସୋନିଆଙ୍କୁ ପ୍ରଶ୍ନ କରୁଥିଲେ କୁନି ରାହୁଲ
ନୂଆଦିଲ୍ଲୀ: ରାଜନୀତିର ଝଡ଼ କେବଳ କ୍ଷମତାର ରାଜନୈତିକ ଗଣିତକୁ ନୁହେଁ, ଏହା ଗୋଟିଏ ପରିବାରର ଛୋଟ ପିଲାଙ୍କ ଶୈଶବକୁ ମଧ୍ୟ କିପରି ପ୍ରଭାବିତ କରିଥିଲା, ତାହାର ଏକ ଭାବପ୍ରବଣ କାହାଣୀ ସାମ୍ନାକୁ ଆଣିଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ। ଜେଜେମା’ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନ ପରାଜୟ ପରେ ୭ ବର୍ଷର ରାହୁଲ ଗାନ୍ଧୀଙ୍କ ଜନ୍ମଦିନକୁ ଆସିନଥିଲେ ତାଙ୍କର ପ୍ରାୟ ସମସ୍ତ ସାଙ୍ଗ। ଏପରିକି ସ୍କୁଲରେ ସାଙ୍ଗମାନଙ୍କ କଟାକ୍ଷର ଶିକାର ହୋଇ ରାହୁଲ ଓ ପ୍ରିୟଙ୍କା ଘରକୁ ଫେରି ମା’ ସୋନିଆଙ୍କୁ ପଚାରୁଥିଲେ, ‘ଲୋକେ ଦାଦି ଓ ଚାଚାଙ୍କୁ ଚୋର କାହିଁକି କହୁଛନ୍ତି’। ସେମାନେ ଜେଲ୍ ଯିବେ ବୋଲି କାହିଁକି କହୁଛନ୍ତି। ନିଜର ନୂଆ ଆତ୍ମଜୀବନୀ ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ୍ ଲଭ୍’ରେ ଏଭଳି ଅନେକ ଅଭୁଲା ଓ ଭାବପ୍ରବଣ ଘଟଣାର ସ୍ମୃତି ବଖାଣିଛନ୍ତି ସୋନିଆ। ହାର୍ପରକଲିନ୍ସ ଇଣ୍ଡିଆ ପକ୍ଷରୁ ମଙ୍ଗଳବାର ପ୍ରକାଶିତ ଏହି ପୁସ୍ତକରେ ସେ ୧୯୭୭ରେ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନ ପରାଜୟ ପରବର୍ତ୍ତୀ ସମୟର ଅନୁଭୂତି ବର୍ଣ୍ଣନା କରିଛନ୍ତି।
ସୋନିଆ ତାଙ୍କ ପୁସ୍ତକରେ ଲେଖିଛନ୍ତି, ଜୁନ୍ ୧୯ ତାରିଖରେ ରାହୁଲଙ୍କ ସପ୍ତମ ଜନ୍ମଦିନ ପାଳନ ପାଇଁ ସେ ନୂଆ ଘର ୧୨, ୱିଲିଂଡନ୍ କ୍ରେସେଣ୍ଟରେ ଛୋଟିଆ ଉତ୍ସବର ଆୟୋଜନ କରିଥିଲେ। ରାହୁଲ ତାଙ୍କ ସାଙ୍ଗମାନଙ୍କ ଏକ ତାଲିକା ଦେଇଥିଲେ। ପୂର୍ବ ଜନ୍ମଦିନରେ ଯୋଗ ଦେଇଥିବା ସେହି ପିଲାମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଘରେ ନିଜ ହାତରେ କେକ୍ ତିଆରି, କିଛି ଖାଦ୍ୟ, ଆଳୁ ଚିପ୍ସ ଓ ବେଲୁନ୍ରେ ସଜାସଜ୍ଜା କରାଯାଇଥିଲା। ଏଥିରେ ପ୍ରିୟଙ୍କା ମଧ୍ୟ ମା’ଙ୍କୁ ସାହାଯ୍ୟ କରିଥିଲେ। ଏପରିକି ଇନ୍ଦିରା ଗାନ୍ଧୀ ମଧ୍ୟ ଉତ୍ସବକୁ ଆନନ୍ଦମୟ କରିବାକୁ ଏକ ଯୋଜନା କରିଥିଲେ। ବଙ୍ଗଳାର ମାଟିରେ ତିଆରି ପୋକ, ଝିଟିପିଟି ଓ ମାଛି ଭଳି ଦେଖାଯାଉଥିବା ଖେଳନାକୁ ଏକ ଟିଣ ବାକ୍ସରେ ତୁଳା ଭିତରେ ରଖିଥିଲେ। ସୁଯୋଗ ଦେଖି ପିଲାମାନଙ୍କ ଖାଇବା ଥାଳି କିମ୍ବା ଟେବୁଲ ଉପରେ ସେଗୁଡ଼ିକୁ ରଖି ସମସ୍ତଙ୍କୁ ଚମକାଇବା ତାଙ୍କର ଉଦ୍ଦେଶ୍ୟ ଥିଲା। କିନ୍ତୁ ଅତିଥିଙ୍କ ଅପେକ୍ଷାରେ ସମୟ ଗଡ଼ି ଚାଲିଥିଲେ ମଧ୍ୟ ଜଣଙ୍କ ପରେ ଜଣେ ସାଙ୍ଗ ଆସିନଥିଲେ। ଶେଷରେ ରାହୁଲଙ୍କ ଘନିଷ୍ଠ ବନ୍ଧୁ ସିଦ୍ଧାର୍ଥ ଏକୁଟିଆ ପହଞ୍ଚିଥିଲେ। ପ୍ରଥମେ ଯୋଗାଯୋଗରେ ଭୁଲ୍ ହୋଇଥିବ ବୋଲି ଭାବି ସୋନିଆ ଜଣଙ୍କ ପରେ ଜଣେ ଅଭିଭାବକଙ୍କୁ ଫୋନ୍ କରିଥିଲେ। କିନ୍ତୁ ସମସ୍ତଙ୍କ ଉତ୍ତର ଏଡ଼ାଇବା ଭଳି ଥିଲା। ଶେଷରେ ସେ ବୁଝିପାରିଥିଲେ ଯେ ରାଜନୈତିକ ପରିସ୍ଥିତି ଯୋଗୁ କେହି ଆସିବାକୁ ଚାହୁଁନାହାନ୍ତି। ଏହା ରାହୁଲଙ୍କୁ ଗଭୀର ଭାବେ ଆଘାତ ଦେଇଥିଲା। ଜେଜେମା’ ଓ ବାପାମା’ ତାଙ୍କୁ ଖୁସି କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ମନ ଭଲ ହୋଇନଥିଲା। ଶେଷରେ ମନମାରି କେକ୍ କଟାଯାଇଥିଲା। ପରେ ରାଜୀବ ଗାନ୍ଧୀ ପୁଅ ରାହୁଲଙ୍କୁ ବୁଝାଇ କହିଥିଲେ, ସାଙ୍ଗମାନଙ୍କ ଉପରେ ରାଗିବା ଠିକ୍ ନୁହେଁ। ସେମାନଙ୍କ ଅଭିଭାବକ ହୁଏତ ତୁମ ପରିବାର ସହ ବନ୍ଧୁତା ରଖିବାକୁ ଭୟ କରୁଛନ୍ତି। କିଛି ଲୋକ ସରକାରକୁ ଡରନ୍ତି ବୋଲି ସେ କହିଥିବା ସୋନିଆ ଲେଖିଛନ୍ତି। ସୋନିଆ ଆହୁରି ଲେଖିଛନ୍ତି, ସ୍କୁଲରେ ରାହୁଲ ଓ ପ୍ରିୟଙ୍କାଙ୍କୁ ସାଙ୍ଗମାନେ ଅନେକ ସମୟରେ ଉପହାସ କରୁଥିଲେ। ଘରକୁ ଫେରି ସେମାନେ ପଚାରୁଥିଲେ, ‘ଦାଦି ଓ ଚାଚାଙ୍କୁ ଲୋକେ ଚୋର କାହିଁକି କହୁଛନ୍ତି? ସେମାନେ କିଛି ଖରାପ କାମ କରିଛନ୍ତି କି? ଜେଲ୍ ଯିବେ ବୋଲି କାହିଁକି କହୁଛନ୍ତି?’ ସେତେବେଳେ ସେ ପିଲାମାନଙ୍କୁ ବୁଝାଉଥିଲେ ଯେ ଏସବୁ ସତ ନୁହେଁ, କିଛି ଲୋକ ସେମାନଙ୍କ ପରିବାରର ବିରୋଧୀ। ତେଣୁ ଭୟ କରିବାର କିଛି ନାହିଁ। ପ୍ରିୟଙ୍କାଙ୍କ ପିଲାଦିନର ଆଉ ଏକ ଘଟଣା ମଧ୍ୟ ସୋନିଆ ମନେ ପକାଇଛନ୍ତି। ଥରେ ସ୍କୁଲରୁ ଖବର ଆସିଥିଲା ଯେ ପ୍ରିୟଙ୍କା କାନ୍ଦୁଛନ୍ତି। ସୋନିଆ ସ୍କୁଲରେ ପହଞ୍ଚି ଦେଖିଥିଲେ, ଝିଅ ଶ୍ରେଣୀଗୃହ ବାହାରେ ଲୁହ ପୋଛୁଛି। ଜଣେ ପିଲା ତାଙ୍କୁ ଖରାପ କଥା କହିଥିବା ଜାଣି ସୋନିଆ ରାଗିଯାଇଥିଲେ। କିନ୍ତୁ ମା’ କିଛି କହିବାକୁ ଯାଉଥିବା ଦେଖି ମାତ୍ର ପାଞ୍ଚ ବର୍ଷର ପ୍ରିୟଙ୍କା ତାଙ୍କୁ ଅଟକାଇଥିଲେ। ଶିକ୍ଷକ ଉକ୍ତ ପିଲାକୁ ତାଗିଦ୍ କରିସାରିଥିବାରୁ ଆଉ କିଛି ନ କହିବାକୁ ମା’ଙ୍କୁ ଅନୁରୋଧ କରିଥିଲେ। ଏହାକୁ କ୍ଷମା ଓ ସହନଶୀଳତାର ଏକ ଛୋଟ ଶିକ୍ଷା ବୋଲି ସୋନିଆ ବର୍ଣ୍ଣନା କରିଛନ୍ତି।
ଉଲ୍ଲେଖଯୋଗ୍ୟ, ୧୯୭୫ ଜୁନ୍ ୨୫ ତାରିଖ ମଧ୍ୟରାତ୍ରି ପୂର୍ବରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀକାଳୀନ ପରିସ୍ଥିତି (ଏମର୍ଜେନ୍ସି) ଲାଗୁ କରିଥିଲେ। ରାଷ୍ଟ୍ରପତି ଫଖରୁଦ୍ଦିନ ଅଲ୍ଲୀ ଅହମ୍ମଦ ଏହା ଘୋଷଣା କରିଥିଲେ ଏବଂ ପରେ କେନ୍ଦ୍ର କ୍ୟାବିନେଟ୍ ଏହାକୁ ଅନୁମୋଦନ କରିଥିଲା। ୧୯୭୭ ଜାନୁଆରି ୧୮ରେ ଇନ୍ଦିରା ନୂଆ ନିର୍ବାଚନ ଘୋଷଣା କରିବା ସହ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରିଥିଲେ। ମାର୍ଚ୍ଚ ୧୬ରେ ଲୋକସଭା ନିର୍ବାଚନରେ ଇନ୍ଦିରା ଓ ତାଙ୍କ ପୁଅ ସଞ୍ଜୟ ଗାନ୍ଧୀ ପରାଜିତ ହୋଇଥିଲେ। ଏହାର ପାଞ୍ଚ ଦିନ ପରେ, ମାର୍ଚ୍ଚ ୨୧ ତାରିଖରେ ଦେଶରୁ ଜରୁରୀକାଳୀନ ପରିସ୍ଥିତି ହଟାଯାଇଥିଲା।
Tags:




