ପଶ୍ଚିବଙ୍ଗରେ କିଏ ହେବେ ମୁଖ୍ୟମନ୍ତ୍ରୀ?

ପଶ୍ଚିବଙ୍ଗରେ କିଏ ହେବେ ମୁଖ୍ୟମନ୍ତ୍ରୀ?
Samaya Live News Picture
Published On

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ବିଜୟୀ ହେବାପରେ ମୁଖ୍ୟମନ୍ତ୍ରୀ କିଏ ହେବେ ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ୬ ଜଣଙ୍କ ନାମ ଏଥିପାଇଁ ରାଜନୈତିକ ମହଲ ଏବଂ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ସେମାନେ ହେଲେ ଶୁଭେନ୍ଦୁ ଅଧିକାରୀ, ସମିକ ଭଟ୍ଟାଚାର୍ଯ୍ୟ, ଦିଲୀପ ଘୋଷ, ଅଗ୍ନିମିତ୍ରା ପଲ୍, ରୁପା ଗାଙ୍ଗୁଲି ଏବଂ ନିଶିଥ ପ୍ରମାଣିକ। ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଦୌଡ଼ରେ ରହିଛନ୍ତି। ଏକଦା ଟିଏମ୍ସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଥିବା ଶୁଭେନ୍ଦୁ ୨୦୨୦ରେ ବିଜେପିରେ ଯୋଗଦେଇ ତାଙ୍କର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ପାଲଟି ଯାଇଛନ୍ତି।

WhatsApp Image 2026-05-05 at 9.02.29 PM

୨୦୨୧ ନିର୍ବାଚନରେ ସେ ତାଙ୍କୁ ନନ୍ଦିଗ୍ରାମ ଆସନରେ ମଧ୍ୟ ହରାଇଥିଲେ। ଏଥର ସେ ଉଭୟ ନନ୍ଦିଗ୍ରାମ ଓ ଭବାନୀପୁର ଆସନରୁ ନିର୍ବାଚନ ଲଢ଼ିଥିଳେ। ସେ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ମଧ୍ୟ ରହିଛନ୍ତି। ମୁଖ୍ୟମନ୍ତ୍ରୀ ଦୌଡ଼ରେ ବିଜେପିର ପଶ୍ଚିମବଙ୍ଗ ଶାଖା ସଭାପତି ଥିବା ସମିକ ଭଟ୍ଟାଚାର୍ଯ୍ୟ ରହିଛନ୍ତି। ୨୦୨୪ ମସିହାରୁ ସେ ରାଜ୍ୟସଭା ସଦସ୍ୟ ରହିଛନ୍ତି। ୨୦୧୪ ମସିହା ଉପନିର୍ବାଚନରେ ସେ ବସିରହାଟ ଦକ୍ଷିଣ ଆସନରୁ ବିଧାୟକ ହୋଇଥିଲେ। କିନ୍ତୁ ୨୦୧୬ ନିର୍ବାଚନରେ ସେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଦୀପେନ୍ଦୁ ବିଶ୍ବାସଙ୍କଠାରୁ ହାରି ଯାଇଥିଲେ। ପଶ୍ଚିମବଙ୍ଗ ବିଧାନସଭାକୁ ନିର୍ବାଚିତ ହେବାରେ ସେ ହେଉଛନ୍ତି ଦ୍ବିତୀୟ ବ୍ୟକ୍ତି।

WhatsApp Image 2026-05-05 at 9.02.33 PM

 

ଦିଲୀପ ଘୋଷ ବି ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଛନ୍ତି। ସେ ଦଳର ପଶ୍ଚିମବଙ୍ଗ ଶାଖା ସଭାପତି ଭାବେ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ୨୦୧୯ ଲୋକସଭା ଏବଂ ୨୦୨୧ ବିଧାନସଭା ନିର୍ବାଚନରେ ସେ ଦଳ ପାଇଁ ପ୍ରମୁଖ ଭୂମିକା ନିଭାଇଥିଲେ। ମେଦିନପୁରରୁ ସେ ସାଂସଦ ହୋଇଥିଲେ। ଏଥିସହିତ ୨୦୨୧ରୁ ୨୦୨୩ ପର୍ଯ୍ୟନ୍ତ ସେ ବିଜେପିର ଜାତୀୟ ଉପସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ୨୦୨୬ରେ ସେ କଂଗ୍ରେସର ଜ୍ଞାନ ସିଂହ ସୋହନଲାଲଙ୍କୁ ୨୦୧୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଖଡ଼ଗପୁର ସଦର ନିର୍ବାଚନ ମଣ୍ଡଳୀରେ ପରାଜିତ କରିଥିଲେ। ଫାସନ୍ ଡିଜାଇନରୁ ରାଜନେତା ପାଲଟିଥିବା ଅଗ୍ନିମିତ୍ରା ପଲ୍ ବି ମୁଖ୍ୟମନ୍ତ୍ରୀ ଦୌଡ଼ରେ ରହିଛନ୍ତି। ଆସାନସୋଲ ଦକ୍ଷିଣ ଆସନରୁ ସେ ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି। ଏଥିସହିତ ସେ ପଶ୍ଚିମବଙ୍ଗ ବିଜେପିର ସାଧାରଣ ସମ୍ପାଦକ ଏବଂ ବିଜେପି ମହିଳା ମୋର୍ଚ୍ଚ ମୁଖ୍ୟ ପଦରେ ରହିଛନ୍ତି।

WhatsApp Image 2026-05-05 at 9.02.31 PM

୨୦୧୯ରେ ସେ ରାଜନୀତିରେ ପ୍ରବେଶ କରିଥିଲେ। ଉଦ୍ୟୋଗୀ ପାର୍ଥ ପଲ୍ଙ୍କୁ ସେ ବିବାହ କରିଛନ୍ତି ଏବଂ ତାଙ୍କର ଦୁଇ ପୁଅ ରହିଛନ୍ତି। ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା ରୁପା ଗାଙ୍ଗୁଲି ମଧ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିବା ଚର୍ଚ୍ଚା ହେଉଛି। ସେ ସୋନାରପୁର ଦକ୍ଷିଣ ଆସନରୁ ଏଥର ନିର୍ବାଚନ ଲଢ଼ିଛନ୍ତି। ମହାଭାରତରେ ଦ୍ରୌପଦୀ ଭୂମିକାରେ ଅଭିନୟ କରି ସେ ଦେଶବ୍ୟାପୀ ପ୍ରସିଦ୍ଧି ଅର୍ଜନ କରିଥିଲେ। ପୂର୍ବରୁ ସେ ବିଜେପିର ରାଜ୍ୟସଭା ସାଂସଦ ଥିଲେ। ଏଥିସହିତ ୨୦୧୫ରୁ ୨୦୧୭ ପର୍ଯ୍ୟନ୍ତ ସେ ପଶ୍ଚିମବଙ୍ଗ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି ଭାବେ କାର୍ଯ୍ୟ କରି ଦଳକୁ ମଜଭୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଉତ୍ତର ବଙ୍ଗରେ ବିଜେପିକୁ ଆଗକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ନିଶିଥ ପ୍ରମାଣିକ ବି ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଛନ୍ତି। ସାଙ୍ଗଠିନକ କାର୍ଯ୍ୟ କରିବାରେ ସେ ଦଳର ଜଣେ ପ୍ରମୁଖ ଚେହେରା। ମଥାଭଙ୍ଗା ଆସନରୁ ଏଥର ସେ ନିର୍ବାଚନ ଲଢ଼ିଛନ୍ତି।

WhatsApp Image 2026-05-05 at 9.02.32 PM

୨୦୨୧ରୁ ୨୦୨୪ ପର୍ଯ୍ୟନ୍ତ ସେ କେନ୍ଦ୍ର ସରକାରରେ ଗୃହ, ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରି ପରିଚିତି ହାସଲ କରିଛନ୍ତି। ଏସବୁ ବ୍ୟକ୍ତିଙ୍କ ଛଡ଼ା ବିଜେପି ଅନ୍ୟ କାହାରିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଆସନରେ ବସାଇପାରେ। ନିକଟ ଅତୀତରେ ଓଡ଼ିଶାଠାରୁ ଆରମ୍ଭ କରି ଅନ୍ୟ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚୟନରେ ଏହି ଧାରା ବିଜେପିରେ ଦେଖିବାକୁ ମିଳିଛି। ମଧ୍ୟପ୍ରଦେଶରେ ମୋହନ ଯାଦବ, ହରିୟାଣାରେ ନାୟବ ସିଂହ ସୈନି, ଓଡ଼ିଶାରେ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି। ତେଣୁ ଆଗାମୀ ଦିନରେ ହାତୀ କାହା ମୁଣ୍ଡରେ ବି ସୁନା କଳସ ଢାଳିପାରେ।

Tags: