୫ଟଙ୍କାରେ ମାଛ - ଭାତ ଦେବେ ପଶ୍ଚିମବଙ୍ଗ ସରକାର

୫ଟଙ୍କାରେ ମାଛ - ଭାତ ଦେବେ ପଶ୍ଚିମବଙ୍ଗ ସରକାର
Samaya Live News Picture
Published On

କୋଲକାତା : ସାଧାରଣ ଜନତାଙ୍କ ପାଇଁ ଖୁସି ଖବର । ୫ଟଙ୍କାରେ ମାଛ ଭାତ ବାଣ୍ଟିବେ ନବନିର୍ବାଚିତ ପଶ୍ଚିମବଙ୍ଗ ସରକାର। ବିଜେପି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା । ଜନସାଧାରଣଙ୍କୁ ଶସ୍ତାରେ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ୫ ଟଙ୍କାରେ ମାଛ ଏବଂ ଭାତ ପାଇଁ ସରକାରଙ୍କ ପକ୍ଷରୁ ସମଗ୍ର ରାଜ୍ୟରେ ପ୍ରାୟ ୪୦୦ଟି ସ୍ପେଶାଲ କ୍ୟାଣ୍ଟିନ ଖୋଲାଯିବାର ନିଷ୍ପତ୍ତି ନିଆଯାଇଛି ।

ଏହି ସ୍ପେଶାଲ କ୍ୟାଣ୍ଟିନଗୁଡ଼ିକ ଜରିଆରେ ବିଶେଷ କରି ଶ୍ରମିକ, ଦିନମଜୁରିଆ ଏବଂ ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକମାନେ ଉପକୃତ ହୋଇପାରିବେ। ପଶ୍ଚିମବଙ୍ଗରେ ମାଛ ଏବଂ ଭାତ ମୁଖ୍ୟ ଖାଦ୍ୟ ହୋଇଥିବାରୁ, ସରକାରଙ୍କ ଏହି ସୁଲଭ ଯୋଜନାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ପ୍ରକାଶ ପାଇଛି।

କଲ୍ୟାଣୀରେ ଆୟୋଜିତ ଏକ ପ୍ରଶାସନିକ ବୈଠକରେ ଲୋକଙ୍କୁ ସମ୍ବୋଧନ କରି ଅଧିକାରୀ କହିଛନ୍ତି ଯେ ସବସିଡିଯୁକ୍ତ ଖାଦ୍ୟ ସମଗ୍ର ପଶ୍ଚିମବଙ୍ଗରେ ସ୍ଥାପିତ ସ୍ୱତନ୍ତ୍ର ଭାବରେ ନିର୍ଦ୍ଦିଷ୍ଟ କ୍ୟାଣ୍ଟିନ ମାଧ୍ୟମରେ ଯୋଗାଇ ଦିଆଯିବ। ଶୁଭେନ୍ଦୁଙ୍କ ଏହି ଘୋଷଣା ଟିଏମ୍‌ସିର ଅଭିଯୋଗରେ ଉତ୍ତର ଦେବାକୁ କରାଯାଇଥିବା କୁହାଯାଉଛି। କାରଣ ନିର୍ବାଚନ ସମୟରେ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କ ସମେତ ଦଳୀୟ ନେତାମାନେ ପ୍ରଚାର କରିଥିଲେ ଯେ ବିଜେପି ଆସିଲେ ମାଛ, ମାଂସ ଏବଂ ଅଣ୍ଡା ଉପରେ ସମ୍ପୂର୍ଣ୍ଣ ନିଷେଧ କରିବ। ଫଳରେ ବଙ୍ଗାଳୀମାନେ ତାଙ୍କର ପ୍ରିୟ କାଦ୍ୟ ଖାଇବାରେ ବଞ୍ଚିତ ହେବେ ।

ସୂଚନାନୁସାରେ, ଓଡ଼ିଶାରେ ଆହାର ପରି ପଶ୍ଚିମବଙ୍ଗରେ ୫ ଟଙ୍କିଆ ମିଲ୍ ଖୁବ୍ ଲୋକପ୍ରିୟ ଥିଲା। ଏହାକୁ ୨୦୨୧ ଫେବ୍ରୁଆରୀ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆରମ୍ଭ କରିଥିଲେ। ଏହାର ନାଁ ଥିଲା ମା' କ୍ୟାଣ୍ଟିନ, ଏହି କ୍ୟାଣ୍ଟିନ ଦିନ ୧୨.୩୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲୁଥିଲା। ଏଥିରେ ଭାତ, ଡାଲମା ସହ  ଅଣ୍ଡା ଦିଆଯାଉଥିଲା। ୨୦୨୧ ବଜେଟ୍‌ରେ ମମତା ସରକାର ଏଥିପାଇଁ ୧୦୦ କୋଟି ଆବଣ୍ଟନ କରିଥିଲେ।

 

Tags: