‘ଆମେ ଏହି ଦୁନିଆ ଛାଡ଼ି ଚାଲିଯାଉଛୁ’: ନିଯୁକ୍ତିଦାତାଙ୍କୁ ଇମେଲ୍ ପଠାଇଲେ ଟେକି, ପରେ ପତ୍ନୀଙ୍କ ସହ ମିଳିଲା ମୃତଦେହ
ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମରେ ଏକ ଭଡ଼ା ଘରୁ ଜଣେ ୩୦ ବର୍ଷୀୟ ଆଇଟି କର୍ମଚାରୀ ମହମ୍ମଦ ଅସଲମ୍ ଏବଂ ତାଙ୍କ ପତ୍ନୀ ଫରହାନାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମହିଳାଙ୍କ ଜନ୍ମଦିନରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ମୃତ୍ୟୁ ପୂର୍ବରୁ ଅସଲମ୍ ନିଜ କାର୍ଯ୍ୟାଳୟକୁ ଏକ ଇମେଲ୍ ପଠାଇଥିଲେ, ଯେଉଁଥିରେ ଲେଖାଥିଲା ‘ଆମେ ଏହି ଦୁନିଆ ଛାଡ଼ି ଚାଲିଯାଉଛୁ’।
ଅସଲମ୍ ଓ ଫରହାନା ଉଭୟେ ଆଇଟି କ୍ଷେତ୍ରରେ କାର୍ଯ୍ୟରତ ଥିଲେ। ସେମାନେ କେରଳର ବାସିନ୍ଦା ଥିବାବେଳେ ପ୍ରାୟ ତିନି ମାସ ପୂର୍ବରୁ ବେଙ୍ଗାଲୁରୁରୁ ଗୁରୁଗ୍ରାମକୁ ଆସିଥିଲେ। ଗୁରୁଗ୍ରାମର ଏମ୍୩ଏମ୍ ମାରିନାରେ ଆବାସିକ ସୋସାଇଟିରେ ଏକ ଭଡ଼ା ଫ୍ଲାଟ୍ରେ ରହୁଥିଲେ। ଫରହାନାଙ୍କ ମୃତଦେହ ଘରର ଚଟାଣରେ ପଡ଼ିଥିଲା। ତାଙ୍କ ବେକରେ କ୍ଷତ ଚିହ୍ନ ଥିବା ଜଣାପଡ଼ିଛି।ଫରହାନାଙ୍କ ପୋଷାକରେ ହାତରେ ‘ଆଇ ଲଭ୍ ୟୁ’ ଲେଖା ଥିଲା। ଅସଲମ୍ଙ୍କ ସହକର୍ମୀମାନେ ଖବର ଦେବା ପରେ ଘର ମାଲିକ ସେଠାରେ ପହଞ୍ଚିଥିଲେ। ସେହି ସମୟରେ ଘରର କବାଟ ଖୋଲା ଥିବା ରିପୋର୍ଟରେ କୁହାଯାଇଛି। ପୁଲିସ ଘଟଣାସ୍ଥଳରୁ ତିନୋଟି ଲାପଟପ୍, ଦୁଇଟି ମୋବାଇଲ୍ ଫୋନ୍, ଏକ ଦଉଡ଼ି, ଡାଏରୀ, କଇଁଚି ଏବଂ ଗୋଟିଏ ପେନ୍ ଡ୍ରାଇଭ୍ ଜବତ କରିଛି। ଘଟଣାର ପ୍ରକୃତ କାରଣ ଓ ମୃତ୍ୟୁ ପୂର୍ବରୁ କ’ଣ ଘଟିଥିଲା, ତାହା ଜାଣିବା ପାଇଁ ଏହି ସମସ୍ତ ସାମଗ୍ରୀକୁ ଫରେନ୍ସିକ୍ ଯାଞ୍ଚ ପାଇଁ ପଠାଯାଇଛି। ପ୍ରାଥମିକ ତଦନ୍ତ ଆଧାରରେ ପୁଲିସ ସନ୍ଦେହ କରୁଛି ଯେ ଅସଲମ୍ ପ୍ରଥମେ ନିଜ ପତ୍ନୀଙ୍କୁ ହତ୍ୟା କରିବା ପରେ ନିଜ ଜୀବନ ନେଇଥାଇପାରନ୍ତି। ଏହି ଘଟଣାରେ ଭାରତୀୟ ନ୍ୟାୟ ସଂହିତା ଧାରା ୧୦୩(୧) ଅନୁଯାୟୀ ହତ୍ୟା ମାମଲା ରୁଜୁ ହୋଇଛି। ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ଦମ୍ପତିଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା ଏବଂ ସେମାନଙ୍କ ମଧ୍ୟରେ ବୈବାହିକ କଳହ ଥିବା କଥା ସାମ୍ନାକୁ ଆସିନଥିଲା। ତେବେ ଅସଲମ୍ ପ୍ରାୟ ଦେଢ଼ ବର୍ଷ ଧରି ଅବସାଦ (ଡିପ୍ରେସନ୍) ପାଇଁ ଚିକିତ୍ସା ନେଉଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି। ଅତ୍ୟଧିକ କାର୍ଯ୍ୟଚାପ ଏହି ଘଟଣାର ଏକ ସମ୍ଭାବ୍ୟ କାରଣ ହୋଇଥାଇପାରେ ବୋଲି ସମ୍ପର୍କୀୟମାନେ ଆଶଙ୍କା କରିଛନ୍ତି। ତେବେ ଏହା ଏଯାବତ୍ ନିଶ୍ଚିତ ହୋଇନାହିଁ। ଅସଲମ୍ କାଲିକଟ୍ର ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନ୍ଆଇଟି) ଏବଂ ଇନ୍ଦୋରର ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍ (ଆଇଆଇଏମ୍)ର ପୂର୍ବତନ ଛାତ୍ର ଥିଲେ। ଫରହାନା ମଧ୍ୟ ଏକ ଆଇଟି କମ୍ପାନୀରେ କାମ କରୁଥିଲେ ଏବଂ ଘରୁ କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ପୁଲିସ ଫରେନ୍ସିକ୍ ରିପୋର୍ଟ ଓ ଅନ୍ୟାନ୍ୟ ପ୍ରମାଣ ଯାଞ୍ଚ କରୁଛି। ତଦନ୍ତ ଶେଷ ହେବା ପରେ ହିଁ ଏହି ଦୁଃଖଦ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ।
Tags:




