ପାଟନାରେ ସଡ଼କ ଦୁର୍ଘଟଣାରେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ହିଂସା ଏବଂ ପୋଡ଼ାଜଳା
ପାଟନା : ବିହାରର ପାଟନାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯିବା ପରେ ଏହି ଘଟଣାକୁ ବିରୋଧ କରି ହିଂସା ଉପୁଜିଛି। ଉତ୍ତ୍ୟକ୍ତ ଜନତା ତିନୋଟି ପୁଲିସ ଜିପ୍କୁ ଜାଳି ଦେଇଥିବା ଅଭିଯୋଗ ହୋଇଛି। ପଥରମାଡ଼ ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଘଟଣାସ୍ଥଳର ଭିଡିଓରେ ଅନେକ ଯାନବାହନରେ ନିଆଁ ଲାଗିଥିବା ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ କର୍ମଚାରୀମାନେ ପ୍ରୟାସ କରୁଥିବା ଦେଖାଯାଇଛି। ପାଟନା ସିଟିର ଏସଡିଏମ ସତ୍ୟମ ସାହାୟ କହିଛନ୍ତି, ଏକ ସଡ଼କ ଦୁର୍ଘଟଣା ଘଟିଲା। ଦୁର୍ଘଟଣା ପରେ ମୃତକଙ୍କ ଶବକୁ ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରାଯାଇଥିଲା ଏବଂ ସେହି ସମୟରେ ହିଂସାକାଣ୍ଡ ଘଟିଥିଲା। ହିଂସାରେ ଜଡ଼ିତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଉଛି। ବର୍ତ୍ତମାନ ଶବକୁ ରାସ୍ତାରୁ ହଟାଇ ଦିଆଯାଇଛି ଏବଂ ଯାତାୟାତ ସ୍ୱାଭାବିକ ହୋଇଛି ବୋଲି ସେ କହିଛନ୍ତି। ଏଏସପି ରାଜ କିଶୋର ସିଂହ କହିଛନ୍ତି ଯେ, ମୃତ ବ୍ୟକ୍ତି ରାସ୍ତା ପାର ହେଉଥିବା ବେଳେ ଏକ କାର୍ ତାଙ୍କୁ ଧକ୍କା ଦେଇଥିଲା। ସେ କହିଛନ୍ତି, ଆମେ ଆଇନ-ଶୃଙ୍ଖଳା ବଜାୟ ରଖିଛୁ ଏବଂ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ରହିଛି।




